ସୁନ୍ଦରଗଡ଼, ୩୧/୦୧/୨୦୨୫ (ଓଡ଼ିଶା ସମାଚାର)-ସୁନ୍ଦରଗଡ଼ରେ ଗୁଳିକାଣ୍ଡ । ଭଷ୍ମା ଥାନା ଶରଧାପାଲିରେ ଜଣେ ଯୁବକ ଗୁଳିମାଡ଼ର ଶିକାର ହୋଇଛନ୍ତି। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଛି। ଗୁରୁତର ଯୁବକ ହେଲେ ସୂରଜ ପଟେଲ। ସୂଚନା ଅନୁସାରେ ସୂରଜ ଆଜି ପ୍ରାୟ ୪ଟାରେ ଦର୍ଲିପାଲି ନିକଟ ବରୋବଗା ଆସପଣ୍ଡ ପାଖ ଏକ ଅଫିସରେ ବସିଥିବାବେଳେ ୮ଟି ବାଇକ୍ରେ ୨୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ସୂରଜଙ୍କୁ ପ୍ରଥମେ ବିଧା, ଗୋଇଠା ମାରିଥିଲେ। ପରେ ତାଙ୍କ ମୁଣ୍ଡକଁ ଲକ୍ଷ କରି ଗୁଳି ଚଳାଇଥିଲେ। ସେ ମୁଣ୍ଡ ବୁଲାଇ ଦେବାରୁ ଗୁଳି କାନ ପାଖ ଦେଇ ଚାଲି ଯାଇଥିଲା। ପରେପରେ ଆଉ ଥରେ ଗୁଳିମାଡ଼ କରିଥଲେ। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳିମାଡ଼ର ଶିକାର ହୋଇଥିବା ଆହତ ସୂରଜଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍ଭିନ୍ ଜାରି ରଖିଛି। ସୂରଜଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ପରେ ଅଭିଯୁକ୍ତ ସଂପର୍କରେ ତଥ୍ୟ ମିଳିବ ବୋଲି ପୁଲିସ ଆଶା ରଖିଛି। ଘଟଣା ସଂପର୍କରେ ଖବର ପାଇ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଡାକ୍ତରଖାନାରେ ପହଞ୍ଚି ସୂରଜଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି । ଜିଲ୍ଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଉଦବେଗ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଗତ ୭ ତାରିଖ ରେ ଟାଉନ୍ଥାନା ସଂଲଗ୍ନ ଜେଡିଆର୍ ହୋଟେଲ୍ ପଛପଟେ ଗୁଳିକାଣ୍ଡରେ ସୁନ୍ଦରଗଡ଼ ସୁନାରିପଡ଼ା ନିବାସୀ ରାଜ୍ ଯାଦବ (୨୫) ନାମକ ଯୁବକ ଗୁରୁତର ଆହତ ହୋଇଥିଲେ।