ସିଲିକନ ବିଶ୍ୱବିଦ୍ୟାଳୟ, ଓଡିଶାର ପ୍ରଥମ ବାର୍ଷିକୀ ପାଳନ

ଭୁବନେଶ୍ୱର,୩୧/୦୧/୨୦୨୫ (ଓଡ଼ିଶା ସମାଚାର)-ସିଲିକନ୍ ବିଶ୍ବବିଦ୍ୟାଳୟ, ଓଡିଶା ଜାନୁଆରୀ ୩୧, ୨୦୨୫ ରେ ଏହାର ପ୍ରଥମ ବାର୍ଷିକୀ ପାଳନ କରିଛି। ଏହି ସ୍ମରଣୀୟ ଅବସରରେ ମୁଖ୍ୟ ଅତିଥି ଭାବରେ ୨୦୧୮ ମସିହାର ନୋବେଲ ପୁରସ୍କାର ବିଜେତା ତଥା କର୍କଟ ରୋଗ ପ୍ରତିରକ୍ଷାରେ ଅଦ୍ଭୁତ ଅବଦାନ ରଖୁଥ‌ିବା ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫେସର ଜେମ୍ସ ପି. ଆଲିସନ ଯୋଗ ଦେଇ ଜେ.ବି.ଏସ. ହାଲଡେନ୍ (J.B.S. Haldane) ବିଷୟରେ ନିଜର ସମ୍ୟକ ବକ୍ତବ୍ୟ ପ୍ରଦାନ କରିଥିଲେ ।  ଏହା ସହିତ, ସମ୍ମାନିତ ଅତିଥି ଭାବରେ ଆମେରିକା ଠାରେ ଥିବା ଟେକ୍ସାସର ହ୍ୟୁଶୂନ ସ୍ଥିତ ଏମଡି ଆଣ୍ଡରସନ୍ କ୍ୟାନସର ସେଣ୍ଟରର (MD Anderson Cancer Center) ପ୍ରଫେସର ପଦ୍ମନୀ ଶର୍ମା ଏବଂ ଫ୍ଲୋରିଡା ସ୍ଥିତ ପାମ୍ ବିଚ୍ ଗାର୍ଡେନ୍ସରେ ଥି‌ବା ପ୍ରିସିସନ୍ ଅଙ୍କୋଲୋଜି (Precision Oncology)ର ଉପାଧ୍ୟକ୍ଷ ଡକ୍ଟର ହିଙ୍କୋ ଗିରମ୍ୟାନ ଯୋଗ ଦେଇ ବାର୍ଷିକୀ ଉତ୍ସବକୁ ଅଧିକ ସ୍ମରଣୀୟ କରିଥିଲେ । ପ୍ରଫେସର ଆଲିସନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ଭୁବନେଶ୍ବର ସ୍ଥିତ ଫ୍ୟୁଚର୍ ଭୁବନେଶ୍ବର ସ୍କୁଲ, ଏବଂ ଆନ୍ଧ୍ର ପ୍ରଦେଶର ଋଷି ଭ୍ୟାଲି ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହା ସହିତ ସମସ୍ତ ଅତିଥି ମାନେ ବିଶ୍ବବିଦ୍ୟାଳୟ ପରିସରରେ ଥ‌ିବା ଜେ.ବି.ଏସ. ହାଲଡେନ୍ ମଲିକୁଲାର ମେଡିସିନ୍ ସେଣ୍ଟର (J.B.S. Haldane Center for Molecular Medicine)ର ମୁଖ୍ୟ ଡକ୍ଟର ବୀରେନ୍ଦ୍ରନାଥ ବାନାର୍ଜୀଙ୍କ ସହିତ ହାଲଡେନ୍ ମଲିକୁଲାର ମେଡିସିନ୍ ସେଣ୍ଟରକୁ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ  ଅତିଥି ମାନଙ୍କ ସହିତ ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ଜୟଦୀପ ତାଲୁକଦାର ଆବାହକ ଭାବରେ ମଞ୍ଚାସିନୀ ହୋଇଥିଲେ । ସିଲିକନ୍ ବିଶ୍ବବିଦ୍ୟାଳୟ, ଏହାର ପାଠ୍ୟକ୍ରମଗୁଡିକରେ ସଂଲଗ୍ନ ସ୍ବାସ୍ଥ୍ୟ ଏବଂ ଚିକିତ୍ସା ବିଜ୍ଞାନ ଯେପରିକି ଅନୁବାଦିକ ସ୍ବାସ୍ଥ୍ୟ ସେବା ପଦକ୍ଷେପ ଏବଂ ବିକାଶଶୀଳ ମଲିକୁଲାର ମେଡିସିନ୍ କ୍ଷେତ୍ରରେ ଅତ୍ୟାଧୁନିକ ଉପକରଣ ବିକାଶ ଇତ୍ୟାଦିକୁ ମଧ୍ୟ ଅନ୍ତର୍ଭୁକ୍ତ କରିବା ସହିତ ବିସ୍ତାର କରୁଛି ବୋଲି ଏହି ଅବସରରେ ସୂଚନା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ବିଶ୍ବବିଦ୍ୟାଳୟ ଦୁଇ ବର୍ଷର ସ୍ନାତକୋତ୍ତର ଡିଗ୍ରୀ ପାଠ୍ୟକ୍ରମ, ମଲିକୁଲାର ମେଡିସିନ୍ ରେ ଏମ୍.ଏସ୍ଟି. (M.Sc.in Molecular Medicine) ପ୍ରଦାନ କରୁଛି ଏବଂ ବିଶ୍ବବିଦ୍ୟାଳୟର ପ୍ରଥମ ବ୍ୟାଚ୍ ଜୁଲାଇ ୨୦୨୫ରେ ସ୍ନାତକ ହେବ ବୋଲି ସୂଚନା ଦିଆଯାଇଥିଲା । ଏହା ସହିତ, ବିଶ୍ବବିଦ୍ୟାଳରେ ସମ୍ବଲପୁର ସ୍ଥିତ କ୍ୟାମ୍ପସ ପରିସରରେ  ଏକ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ଘୋଷଣା କରାଯାଇଥିଲା । ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ (H&FW) ଅଧୀନରେ ଅନୁଗୁଳ ଏବଂ ବଡ଼ବିଲ ଠାରେ ମଧ୍ୟ ହସ୍ପିଟାଲ ଗୁଡ଼ିକ ଏକ ସାର୍ବଜନୀନ-ଘରୋଇ ସହଭାଗୀତା (PPP) ପଦକ୍ଷେପରେ ସ୍ଥାପନ କରାଯାଉଛି ବୋଲି ସମସ୍ତଙ୍କ ଅବଗତି ନିମନ୍ତେ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *