ବସନ୍ତପୁର ଶ୍ରୀ ଶିରିଡି ସାଇ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ

ଗରଦପୁର, ୨୭/୦୧/୨୦୨୫ (ଓଡ଼ିଶା ସମାଚାର)- ତେଣ୍ଡାକୁଡା ପଞ୍ଚାୟତ ଅନ୍ତର୍ଗତ ବସନ୍ତପୁର ଶ୍ରୀ ଶିରିଡି ସାଇ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ଗତ 26 ଜାନୁଆରୀରେ ଅନୁଷ୍ଠିତ ହୋଇଯାଇଛି |ଏହି ଦିବସଟି ଗୁରୁତ୍ୱପୂର୍ଣ ଗଣତନ୍ତ୍ର ଦିବସ ହୋଇଥିବାରୁ ପ୍ରଥମେ ସ୍ଥାନୀୟ ଅନେକ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ  ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଂଗୀତ ଗାନ କରାଯାଇଥିଲା |

ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଚାରିଗୋଟି ବିଭାଗରେ ଆୟୋଜିତ ଚିତ୍ରାଙ୍କନ,ଗୀତ ଓ ନୃତ୍ୟ ପ୍ରତିଯୋଗିତା ମନ୍ଦିର ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ଡ଼ଃ ରୁଦ୍ର ମହାନ୍ତିଙ୍କ ଦ୍ୱାରା ଆୟୋଜିତ ହୋଇଥିଲା | ଏଥିରେ ଉଦଘାଟକ ଭାବେ ଓ ୟୁ ଟି ର ୟୁନିଭରସିଟି ର  ରେଜିଷ୍ଟ୍ରାର ରେଣୁପ୍ରଭା ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ | ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ନିଲୁ ମହାପାତ୍ର ଏବଂ ପ୍ରଖ୍ୟାତ ଗାୟିକା ଶୈଳଭାମା ମହାପାତ୍ର ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ପିଲାମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ପିତା ମାତା ଗୁରୁଜନମାନଙ୍କୁ ପିଲାଙ୍କ ଅନ୍ତର୍ନିହିତ ଓ ବିଭୁଦତ୍ତ ପ୍ରତିଭାର ବିକାଶ ପାଇଁ ଉତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ |

ପ୍ରତି ବିଭାଗରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା |  ସାମ୍ବାଦିକ ନବଘନ ନାୟକ ଓ ପ୍ରତୀକ ମିଶ୍ର ମଧ୍ୟ ସମ୍ବର୍ଦ୍ଧିତ ହୋଇ ଥିଲେ  |

ରାଜ୍ୟ ମହିଳା କମିଶନର ପରାମର୍ଶଦାତା ଡ଼ଃ ଟୁନା ସାହୁ, ନୃତ୍ୟଗୁରୁ ସୁନନ୍ଦା ସାହୁ, ଗୀତିକାର ଜ୍ଞାନବ୍ରତ ମହାନ୍ତି,ଚିତ୍ରକର ସତ୍ୟ ଶେଖର ପରିଡା ପ୍ରଶାନ୍ତ ପାଲ,ଓ ଅମିତ ଦାଶ ପ୍ରମୁଖ ବିଚାରକ ଭାବରେ ଯୋଗଦେଇ ସାଇ ମନ୍ଦିର ଟ୍ରଷ୍ଟର ଏପରି ମହତ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ | ଶେଷ ରେ ପୂର୍ବତନ ସରପଞ୍ଚ ରବୀନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *