ଆଭରେଜ୍ ବିଦ୍ୟୁତ୍ ବିଲ ଓ ସଚଳ ମିଟରକୁ ଅଚଳ ଦର୍ଶାଇ ନୂଆ ମିଟର ବସାଇବାକୁ ବାଧ୍ୟ କରାଯାଉଥିବା ନେଇ ସାରା ରାଜ୍ୟରେ  ଜନ ଅସନ୍ତୋଷ

ଆନ୍ଦୋଳନ ମୁଣ୍ଡ ଟେକୁଛି , ମାନ୍ୟବର ଶକ୍ତି ମନ୍ତ୍ରୀ,ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଦ୍ୟୁତ ନିୟାମକ ଆୟୋଗ ଉପଭୋକ୍ତା ଙ୍କ ଅଭିଯୋଗ ଠିକ୍ ଭାବେ ବୁଝନ୍ତୁ

ଭୁବନେଶ୍ବର,୨୮/୦୧/୨୦୨୫ (ଓଡ଼ିଶା ସମାଚାର)- ସ୍ମାର୍ଟମିଟର ବସାଇବା ନାଁରେ ଟାଟା ପାୱାର ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଚଳିତ ମାସରେ (ଜାନୁଆରୀ ୨୦୨୫ ) ସହର ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ୟ୍ୟନ୍ତ ସବୁ ଠାରେ କୌଣସି କାରଣ ନଥାଇ ବିନା ନୋଟିସ  କିମ୍ବା ବିନା ସୂଚନାରେ ସଚଳ ଥିବା ଲକ୍ଷ ଲକ୍ଷ  ଉପଭୋକ୍ତାଙ୍କ ବିଦ୍ୟୁତ୍ ମିଟରକୁ ଅଚଳ ଦର୍ଶାଇ ଆଭରେଜ୍ ବିଲ କରିବା  ନେଇ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉପଭୋକ୍ତାଙ୍କୁ ଆଭରେଜ  ବିଲ୍ ଦେଇ ଶୋଷଣ କରାଯାଉଥିବା ନେଇ ସାରା ରାଜ୍ୟରେ  ଜନ ଅସନ୍ତୋଷ ପ୍ରକାଶ ପାଇବା ସହିତ ଆନ୍ଦୋଳନ ମୁଣ୍ଡ ଟେକୁଛି ।

ଶୀତଦିନରେ କମ୍ ବିଲ୍ ଆସୁଥିବାରୁ ମିଟରକୁ ଅଚଳ ଦର୍ଶାଯାଇ ମନଇଚ୍ଛା ଦେୟ ଧାର୍ୟ୍ୟ କରାଯାଉଥିବା ଉପଭୋକ୍ତା ଅଭିଯୋଗ କରୁଛନ୍ତି। ୩ ମାସର ଦେୟ ର ଆଭରେଜ କରାନଯାଇ ୬ ମାସ ଦେୟ ର ଆଭରେଜ୍ କରାଯାଉଛି, ଯାହା ଫଳରେ ଅଧିକ ଦେୟ ଧାର୍ୟ୍ୟ କରାଯାଉଛି । ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ଟିପିସିଓଡିଏଲ ସଂସ୍ଥା ଚାଲାକି କରି ଏଭଳି କାର୍ୟ୍ୟ କରି ଓଡ଼ିଶାର ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି।

ବିଦ୍ୟୁତ୍ ନିୟାମକ ଆୟୋଗ ତଥା ଓଡ଼ିଶା ସରକାରଙ୍କ ଚୁକ୍ତିନାମା ଆଧାରରେ ୫ ବର୍ଷ ପରେ ୨୦୨୫ ମାର୍ଚ୍ଚରେ କାର୍ୟ୍ୟ ସମ୍ପାଦନ ପ୍ରଣାଳୀର ସମୀକ୍ଷା ତଥା ବିଗତ ପାଞ୍ଚ ବର୍ଷର ବ୍ୟବସାୟିକ ଏବଂ ଯାନ୍ତ୍ରିକ କ୍ଷତି ପରିମାଣର ଲକ୍ଷ୍ୟଧାର୍ୟ୍ୟ ମାନଦଣ୍ଡ ପୂରଣ କରିଥିଲେ ହିଁ ଘରୋଇ ବିଦ୍ୟୁତ୍ ବିତରଣ ସଂସ୍ଥା ଟିପିସିଓଡିଏଲର ଚୁକ୍ତିନାମା ନବୀକରଣ କରାଯିବ, ନଚେତ ରଦ୍ଦ କରାଯିବା ସହ ଜୋରିମାନା ଆଦାୟ କରାଯିବା ବ୍ୟବସ୍ଥା ରହିଛି। ତେଣୁ ଟିପିସିଓଡିଏଲ ଏଥିରୁ ବର୍ତ୍ତିବା ପାଇଁ ଶୀତଦିନରେ ଉପଭୋକ୍ତାଙ୍କ ସଚଳ ମିଟରକୁ ଅଚଳ ଦର୍ଶାଇ ଉପଭୋକ୍ତାଙ୍କ ମୁଣ୍ଡ ଉପରେ କ୍ଷତିର ବୋଝ ଲଦିଦେଇ କ୍ଷତି କମାଇବା ଧାର୍ୟ୍ୟ ମାନଦଣ୍ଡ ପୂରଣ କରିବାର ଯୋଜନା କରିଥିବା ଅଭିଯୋଗ ହୋଇଛି।କୌଣସି ଉପଭୋକ୍ତା ନିଯେ ମିଟର କିଣି ନାହାନ୍ତି । ବିଦ୍ୟୁତ୍ ବିତରଣ ସଂସ୍ଥା ଉପଭୋକ୍ତାଙ୍କ ଘରେ ମିଟର ଲଗାଇଥାନ୍ତି । ଉପଭୋକ୍ତାଙ୍କ ଠାରୁ ମିଟର ଯାଞ୍ଚ ଖର୍ଚ୍ଚ ଓ ମିଟର ରେଂଟ ଆଦାୟ କରନ୍ତି । ଏଠାରେ ଉପଭୋକ୍ତା ର ସଚଳ ମିଟରକୁ ଅଚଳ ବର୍ଶାଇ ଆଭରେଜ ବିଲ ପ୍ରସ୍ତୁତ କରିବା, ନୂଆ ମିଟର ବସାଇବା ଆଦି କରି ଉପଭୋକ୍ତାଙ୍କ ଠାରୁ ପୁଣି ଏ ସବୁ ବାବଦରେ ସମସ୍ତ ଅର୍ଥ ଉପଭୋକ୍ତାଙ୍କ ଠାରୁ ଆଦାୟ କରିବା ଉପଭୋକ୍ତାଙ୍କୁ ଶୋଷଣ କରିବା ନୁହେଁ କି ? ମିଟର ବସାଇବା ଖର୍ଚ୍ଚ ବିଦ୍ୟୁତ୍ ବିତରଣ ସଂସ୍ଥା ଉପଭୋକ୍ତାଙ୍କ ଠାରୁ ଆଦାୟ କରିସାରିଥିବାରୁ ବିଦ୍ୟୁତ୍ ବିତରଣ ସଂସ୍ଥା ବିନା ଦେୟ ରେ ନୂଆ ମିଟର ନବସାଇ ଉପଭୋକ୍ତାଙ୍କ ଉପରେ ବ୍ୟୟ ଭାର ଲଦି ଦେବା ଦ୍ୱାରା ଜନ ଅସନ୍ତୋଷ ସାରା ରାଜ୍ୟରେ ଜନ ଅନ୍ଦୋଳନ ପାଇଁ ଦାନା ବାନ୍ଧୁଛି । ଶୀତ ଦିନେ ସମସ୍ତ ଉପଭୋକ୍ତା କମ୍ ବିଦ୍ୟୁତ ବ୍ୟବହାର କରିଥାନ୍ତି , କାରଣ ଶୀତ ଦିନେ ବିଦ୍ୟୁତ ପଙ୍ଗା, କୁଲର, ଶୀତ ତାପ ନିୟନ୍ତ୍ରକ (ଏସି) ଆଦି କେହି ବ୍ୟବହାର କରିନଥାନ୍ତି । ଶୀତ ଦିନ ଗଲେ ବିଦ୍ୟୁତ ବ୍ୟବହାର ବଢ଼ିଥାଏ । ତେଣୁ ଶୀତ ଦିନ ଶେଷ ନହେବା ପର୍ୟ୍ୟନ୍ତ ଅପେକ୍ଷା ନକରି ବିଦ୍ୟୁତ୍ ବିତରଣ ସଂସ୍ଥାର ଯନ୍ତ୍ରୀମାନେ ଅଫିସ ରେ ବସି ଉପଭୋକ୍ତାଙ୍କୁ ଶୋଷଣ କରିବା ପାଇଁ ଫନ୍ଦି କରିଛନ୍ତି । ବିଦ୍ୟୁତ୍ ବିତରଣ ସଂସ୍ଥାର ଯନ୍ତ୍ରୀମାନେ ଅଫିସ ରେ ବସି ଉପଭୋକ୍ତାଙ୍କୁ କିଭଳି ହଇରାଣ ଓ ଶୋଷଣ କରୁଛନ୍ତି, ତାହାର ଏକ ନିର୍ଦିଷ୍ଟ ପ୍ରମାଣ ଏଠାରେ ଅବତାରଣ କରିବାକୁ ଉଚିତ ମନେ କରୁଛୁ ।  ଟାଟା ପାୱାର ପୂର୍ବରୁ ଏନଜେନ୍ ନାମକ ଏକ ବିଦ୍ୟୁତ୍ ବିତରଣ ସଂସ୍ଥା କାର୍ୟ୍ୟ କରୁଥିଲା । ଏନଜେନ୍ ଠାରୁ ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଲେ । କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବିଦ୍ୟୁତ ଡ଼ିଭିଜନ୍ ର ଜଣେ ଉପଭୋକ୍ତା  ସହରରେ ରହନ୍ତି । ତାଙ୍କର ଗାଁ ରେ ଥିବା ଘର ସବୁ ଦିନ ବନ୍ଦ ରହିଥାଏ । ୬ ମାସରେ , ବର୍ଷକରେ ଯେତେବେଳେ ସିଏ ଗାଁ କୁ ଆସନ୍ତି କେବଳ ସେତିକି ବେଳେ ବିଦ୍ୟୁତ ବ୍ୟବହାର କରିଥାନ୍ତି । ପ୍ରତି ମାସରେ ବିଦ୍ୟୁତ ବିଲ ଦେଉଥିଲେ । ହଠାତ୍ ବିଦ୍ୟୁତ୍ ବିତରଣ ସଂସ୍ଥାର ଯନ୍ତ୍ରୀମାନେ ଅଫିସ ରେ ବସି ତାଙ୍କ ମିଟର ଅଚଳ ଦର୍ଶାଇ ମାସକୁ ୧୨୦୦ ଟଙ୍କା ଲେଖା ବିଲ ଦେଲେ । ହେଲେ ଉପଭୋକ୍ତା ଜଣକ ଆଉ ମାସିକ ବିଦ୍ୟୁତ ଦେୟ ଦାଖଲ କଲେନାହିଁ । ନୂଆ ମିଟର ବସିଲା, ହେଲେ ୨ ବର୍ଷ ପର୍ୟ୍ୟନ୍ତ ଦେଖିଲେ ମିଟର ଯାହା ସେଇଆ । ଶେଷରେ ୨ ବର୍ଷ ପରେ ମାସିକ ୬୦ ଟଙ୍କା ଲେଖା ହିସାବ କରି ବିଲ ଦେଲେ ଓ ଉପଭୋକ୍ତା ଜଣକ ସମସ୍ତ ବାକି ଥିବା ଦେୟ ଦାଖଲ କଲେ । ଏବେ ନିର୍ଦିଷ୍ଟ ସେହି ଉପଭୋକ୍ତାଙ୍କର  ସଚଳ ଥିବା ମିଟରକୁ ଅଚଳ ଦର୍ଶାଇ ଆଭରେଜ ୭୩୩ ଟଙ୍କାର ବିଲ ଦିଆଯାଇଛି । ଏଠାରେ ମିଟର ବସାଇଲା କିଏ ? ମିଟରକୁ ଅଚଳ ଦର୍ଶାଇଲା କିଏ ? ପୁଣି ପୂର୍ବ ଭଳି ସମାନ ଘଟଣା ଏହି ନିର୍ଦିଷ୍ଟ ଉପଭୋକ୍ତାଙ୍କୁ ଭୋଗିବାକୁ ପଡ଼ିବ । ବିଦ୍ୟୁତ୍ ବିତରଣ ସଂସ୍ଥା ର ଯନ୍ତ୍ରୀମାନେ ଅଫିସ ରେ ବସି ସଚଳ ମିଟରକୁ ଅଚଳ ଦର୍ଶାଇ ଅହେତୁକ ଆଭରେଜ ବିଲ ଦେଇ ଉପଭୋକ୍ତାଙ୍କୁ ଯେଉଁ ମାନସିକ ଯନ୍ତ୍ରଣା ଦେଉଛନ୍ତି ସେଥିପାଇଁ ସେହି ଯନ୍ତ୍ରୀମାନ ଙ୍କୁ ଦାୟି କରାନଯିବ କାହିଁକି ? ଭାତ ହାଣ୍ଡିରୁ ଗୋଟିଏ ଭାତ ଦେଖିବା ଭଳି ଏହି ଗୋଟିଏ ଉଦାହରଣ ଦିଆଗଲା । ଏହିପରି ଅନେକ ଉଦାହରଣ ରହିଛି । ବିଦ୍ୟୁତ୍ ବିତରଣ ସଂସ୍ଥା ର ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ ନକରି ଅଫିସ ରେ ବସି ଉପଭୋକ୍ତା ମାରଣ ନୀତି ପରିହାର ନକଲେ ଖୁବ ଶୀଘ୍ର ସାରା ରାଜ୍ୟରେ ବିଦ୍ୟୁତ ବିଲ ନେଇ ଆନ୍ଦୋଳନ ମୁଣ୍ଡ ଟେକିବା ଆଉ ବେଶି ଦିନ ନୁହେଁ ।

ପୁରୁଣା ଭୁବନେଶ୍ବର ଓଟି-୧ରେ ୧୧୦୦ ମିଟର ଅକାମୀ ଦର୍ଶାଯାଇଥିବା ଜଣାପଡ଼ିଛି। ଏସମ୍ପର୍କରେ ଓଟି-୧ର ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବ୍ରତ ପ୍ରଧାନ କହିଛନ୍ତି, ଭିଜନ ଟେକ୍ ମିଟର ଉପରେ ଉପଭୋକ୍ତାଙ୍କ ଅଭିଯୋଗ ଆସୁଥିଲା। ଚଳିତ ମାସରେ ଟିପିସିଓଡିଏଲ ମୁଖ୍ୟ କାର୍ୟ୍ୟାଳୟ ପକ୍ଷରୁ ଭିଜନଟେକ ମିଟରକୁ ଅକାମୀ ଦର୍ଶାଇ ସେମାନଙ୍କ ବିଲ୍ ରେ ହାରାହାରି ବିଲ୍ ଧାର୍ୟ୍ୟ କରାଯାଇଛି। ପୂର୍ବରୁ ବସିଥିବା ମିଟର ପାଇଁ ମାସିକ ୪୦ ଟଙ୍କା ହିସାବରେ ଉପଭୋକ୍ତା ୨୪ ମାସ ପାଇଁ ମିଟର ଭଡ଼ା ଦେଉଥିଲେ। ଏବେ ନୂତନ ମିଟର ପାଇଁ ମାସିକ ୬୦ଟଙ୍କା ହିସାବରେ ୬୦ ମାସ ଭଡ଼ା ଦେବାକୁ ହେବ। ନୂଆ ପ୍ରିପେଡ ଓ ସ୍ମାର୍ଟ ମିଟର ବସାଇବା ପରେ ସେମାନଙ୍କ ହାରାହାରି ବିଲ୍ ଧାର୍ୟ୍ୟ ମାନଦଣ୍ଡ ପୂରଣ କରିବ। ଏ ସମ୍ପର୍କରେ ଟିପିସିଓଡିଏଲ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ କମଳ ଲୋଚନ ବେହେରାଙ୍କୁ ପଚାରିବାରେ ସେ ସନ୍ତୋଷ ଜନକ ଉତ୍ତର ନଦେଇ ସବିଶେଷ ତଥ୍ୟ ମୁଖ୍ୟ କାର୍ୟ୍ୟାଳୟର ଗୌରୀ ମହାନ୍ତି କହିପାରିବେ ବୋଲି କହିଥିଲେ। ଏ ସମ୍ପର୍କରେ କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ଶ୍ରୀ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ମତାମତ ମିଳି ପାରି ନ ଥିଲା।

ଏନେଇ ଉପଭୋକ୍ତା ଅଭିଯୋଗ କରିଛନ୍ତି ଯେ, ଟାଟା ପାୱାର ଚଳିତ ମାସରୁ ଉପଭୋକ୍ତାଙ୍କ ଡିଜିଟାଲ ମିଟର ଗୁଡ଼ିକ ଖରାପ ଦର୍ଶାଇ ଉପଭୋକ୍ତାଙ୍କୁ ମନଇଚ୍ଛା ଆନୁମାନିକ ବିଲ୍ ପ୍ରଦାନ କରୁଛି। ପୂର୍ବରୁ ସେସୁ ଭିଜନ୍ଟେକ୍ ମିଟର ବସାଇବା ଲାଗି କହିବା ସହ ପରୀକ୍ଷା ପାଇଁ ୧୦୦ ଟଙ୍କା ଲେଖାଏଁ ନେଇଥିଲା। ଏବେ ଏହି ସଚଳ ଥିବା ମିଟର ଗୁଡିକୁ ମଧ୍ୟ ବିଦ୍ୟୁତ୍ ବିଭାଗ କାର୍ୟ୍ୟାଳୟରେ ବସି ଅଚଳ ଦର୍ଶାଇ ସ୍ମାର୍ଟ ମିଟର ବସାଇବା ପାଇଁ ଷଡ଼ଯନ୍ତ୍ର ରଚିଛି। ୧୨ଶହ ଟଙ୍କାର ମିଟରକୁ ପ୍ରତି ମାସରେ ମାସିକିଆ କିସ୍ତିରେ ମୋଟ ୫,୭୬୦ ଟଙ୍କା ଆହାୟ ପାଇଁ ମଧ୍ୟ ଯୋଜନା କରାଯାଇଛି। ଶୀତ ଦିନରେ ମିଟର ଅଚଳ ଦର୍ଶାଇ ଆଭରେଜ ଦେୟ ଧାର୍ୟ୍ୟ କରିଛି। ମିଟର ବସିବାର ୬ମାସ ପରେ ଖରାଦିନର ବ୍ୟବହାର ବଢ଼ିଗଲେ ପୁଣି ସଂଶୋଧିତ ବର୍ଦ୍ଧିତ ଦେୟ ଦେବାକୁ ପଡ଼ିବ ବୋଲି କହିଛନ୍ତି। ଏହା ଦ୍ବାରା ବିଦ୍ୟୁତ ସଂସ୍ଥା ଉପଭୋକ୍ତା ଶୋଷଣ ନୀତି ଆରମ୍ଭ କରିଛି। ଆଗାମୀ ଦିନରେ ଏହାର ଦୃଢ଼ ବିରୋଧ କରାଯିବ ବୋଲି ଉପଭୋକ୍ତାମାନେ କହିଛନ୍ତି।

ତେବେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଟେକ୍ନୋଲୋଜି ସହ ଯୋଡ଼ିହେବାକୁ ହେଲେ ସ୍ମାର୍ଟ ମିଟର ଲଗାଇବାକୁ ହିଁ ପଡ଼ିବ। ଏହା ଭାରତ ସରକାରଙ୍କ ମାର୍ଗଦର୍ଶିକା ରହିଛି। ସ୍ମାର୍ଟ ମିଟର ନେଇ ଯାହାର ଅଭିଯୋଗ ଅଛି, ସେମାନେ ଲିଖିତ ଜଣାଇବାକୁ ସେ ଅନୁରୋଧ କରିଛନ୍ତି। ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁଥିବା ଅଭିଯୋଗ ଉପରେ ମନ୍ତ୍ରୀ କହିଛନ୍ତି ଯେ ଏବେ ଯାଏଁ ଲୋକଙ୍କର ସୁଇଚ୍ ବନ୍ଦ ନ କରିବାର ଅଭ୍ୟାସ ଯାଇନି। ଆବଶ୍ୟକ ନଥିଲେ ଲୋକେ ସୁଇଚ ବନ୍ଦ କରନ୍ତୁ। ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁନି। ସ୍ମାର୍ଟ ମିଟର ଲାଗିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଉପଭୋକ୍ତାଙ୍କ ଅଭିଯୋଗ ସମ୍ପର୍କରେ ଠିକ୍ ଭାବେ ନବୁଝି ଏଭଳି ମନ୍ତବ୍ୟ ଦେଇଛନ୍ତି । ଶକ୍ତିମନ୍ତ୍ରୀ ଉପଭୋକ୍ତାଙ୍କ ଅଭିଯୋଗକୁ ପ୍ରଥମେ ଠିକ୍ ଭାବେ ବୁଝନ୍ତୁ । ସଚଳ ମିଟରକୁ ଅଚଳ ଦର୍ଶାଇ ଆଭରେଜ ବିଲ ଦିଆଯାଉଛି ନା ନାହିଁ ? ସଚଳ ମିଟରକୁ ଅଚଳ ଦର୍ଶାଇ ମିଟର ବଦଳାଇବା ପାଇଁ ବାଧ୍ୟ କରାଯାଉଛି କି ନାହିଁ ? ଉପଭୋକ୍ତା ଙ୍କ ଘରେ ବସିଥିବା ମିଟର କିଏ ବସାଇଛନ୍ତି  ? ମିଟର ବସାଇବା ବ୍ୟୟ ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ ବିତରଣ ସଂସ୍ଥା ଆଦାୟ କରିଛି କି ନାହିଁ । ଏବେ ସଚଳ ମିଟରକୁ ଅଚଳ ଦର୍ଶାଇ ମିଟର ବଦଳାଇବା ବ୍ୟୟ ଉପଭୋକ୍ତା କାହିଁ କି ଦେବେ ? ଏସବୁ କଥା ପ୍ରଥମେ ମାନ୍ୟବର ଶକ୍ତି ମନ୍ତ୍ରୀ ବୁଝନ୍ତୁ । ସେ ଜଣେ ପକ୍ୱ ରାଜନେତା । ଏସବୁ ସେ ନିଯେ ଅନୁଧ୍ୟାନ କରି ତା ପରେ ଉପଭୋକ୍ତା ଙ୍କ ଅଭିଯୋଗ ମିଛ କି ସତ କୁହନ୍ତୁ । ତଦନୁଯାୟୀ ବିଦ୍ୟୁତ ବିତରଣ ସଂସ୍ଥାକୁ  ନିର୍ଦେଶ ଦିଅନ୍ତୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନିଯେ ମଧ୍ୟ ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ନହେଲେ ଆଗକୁ  ଏ ନେଇ ସାରା ରାଜ୍ୟରେ ଜୋରଦାର ଆନ୍ଦୋଳନ ଅବଶ୍ୟମ୍ଭାବୀ । ବିଦ୍ୟୁତ ନିୟାମକ ଆୟୋଗ ମଧ୍ୟ ନିଜଆଡ଼ୁ ଏହାର ଅନୁଧ୍ୟାନ କରି ତଦନୁଯାୟୀ ବିଦ୍ୟୁତ ବିତରଣ ସଂସ୍ଥାକୁ  ନିର୍ଦେଶ ଦିଅନ୍ତୁ ବୋଲି ଗ୍ରାହକ ମହଲରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *