ବିଭାଗର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ସଂପର୍କରେ ଜାଣିଲେ ପ୍ରଶିକ୍ଷାର୍ଥୀ ଅଧିକାରୀ
- ଦୂରଦୃଷ୍ଟି ସମ୍ପନ୍ନ ଓ ବଡ଼ ଆଭିମୁଖ୍ୟ ନେଇକାର୍ଯ୍ୟ କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପରାମର୍ଶ
- ଜଳସେଚନ ଓ କୃଷି କୁ ସାଥିରେ ନେବାକୁ ଗୁରୁତ୍ୱ
ଭୁବନେଶ୍ୱର,୨୧/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୨୦୨୪ ବ୍ୟାଚ୍ ଓଡ଼ିଶା କ୍ୟାଡର ର ୧୦ଜଣ ଭାରତୀୟ ପ୍ରଶାସନିକ ସେବା ଶିକ୍ଷାନବୀଶ(ଆଇଏଏସ ପ୍ରୋବେସନର) ଆଜି ଜଳସଂପଦ ବିଭାଗ ପରିଦର୍ଶନ କରି ବିଭାଗର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ରମ ସଂପର୍କରେ ଅବଗତ ହୋଇଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଜଳ ସଂପଦ ବିଭାଗର ବହୁମୁଖୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଓ କାର୍ଯ୍ୟକ୍ରମ ସଂପର୍କରେ ରାଜୀବ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଆଇଏଏସ୍ ପ୍ରୋବେସନର ମାନଙ୍କ ସହିତ ଆଲୋଚନା କରିଥିଲେ ।
ବିଭାଗର ବରିଷ୍ଠ ପଦାଧିକାରୀ,ସର୍ବୋଚ୍ଚ ଯନ୍ତ୍ରୀ, ବିଭିନ୍ନ ଶାଖାର ମୁଖ୍ୟଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ଆଇଏଏସ୍ ପ୍ରୋବେସନର ମାନଙ୍କୁ କହିଥିଲେ ଯେ, ଅନ୍ୟ ବିଭାଗ ଭଳି ଏବେ ଜଳ ସଂପଦ ବିଭାଗକୁ ରାଜ୍ୟ ସରକାରଙ୍କର ଅଧିକ ଗୁରୁତ୍ୱ ଦେଉଛନ୍ତି । ଜଳ ସଂପଦର ସଂରକ୍ଷଣ ଓ ଜଳସେଚନ ପାଇଁ ରାଜ୍ୟ ବଜେଟ୍ ରେ ଅଧିକ ବ୍ୟୟ ବରାଦ କରାଯାଉଛି । ପ୍ରଶିକ୍ଷଣରେ ଥିବା ଏହି ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ଏ କ୍ଷେତ୍ରରେ ରାଜ୍ୟ ସରକାର ତଥା ବିଭାଗ କଣ କଣ ଆଶା କରିବ,ସେ ସଂପର୍କରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଆଲୋକପାତ କରିଥିଲେ ।
ଟ୍ରେନି ଆଇଏଏସ୍ ଅଧିକାରୀମାନଙ୍କୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅନୁଭୂତି ଓ ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରିଥିଲେ।ପ୍ରଶିକ୍ଷାର୍ଥୀ ମାନଙ୍କୁ ସେ କହିଥିଲେଯେ, ଆଗାମୀ ଦିନରେ ଉପ-ଜିଲ୍ଲାପାଳ, ଜିଲ୍ଲାପାଳ ତଥା ବିଭିନ୍ନ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିବା ସମୟରେ ସେମାନେ ପାନୀୟ ଜଳ ଯୋଗାଣ, ରାସ୍ତା କାର୍ଯ୍ୟ, ସାମାଜିକ ସୁରକ୍ଷା ଆଦି ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହିବେ।କିନ୍ତୁ ଏସବୁ ଭିତରେ ସେମାନେ ଜଳ ସଂପଦ ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକୁ ଗୁରୁତ୍ୱ ଦେବେ ବୋଲି ସେ ଆବଶ୍ୟକ ପରାମର୍ଶ ଦେଇଥିଲେ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଜଳସଂପଦ ବିଭାଗରେ ବୃହତ୍, ମଧ୍ୟମ ଜଳ ସେଚନ, କ୍ଷୁଦ୍ର ଜଳ ସେଚନ, ମେଗା ଲିଫ୍ଟ ପ୍ରକଳ୍ପ, ଜଳ ସଂରକ୍ଷଣ ଓ ଜଳସେଚନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରୁଛନ୍ତି ।ସେହିପରି ଆମର ପ୍ରାୟ ୩୭୦୦୦ ଉଠା ଜଳସେଚନ ପ୍ରକଳ୍ପ ରାଜ୍ୟର ଜଳସେଚନ ବ୍ୟବସ୍ଥାକୁ ପ୍ରମୁଖ ଯୋଗଦାନ ଦେଇ ଲୋକଙ୍କର ଆର୍ଥିକ ବିକାଶ ଓ ଜୀବନ ପରିବର୍ତ୍ତନ ରେ ଉଲ୍ଲେଖନୀୟ ଯୋଗଦାନ ଦେଉଛି ।
ଆଇଏଏସ୍ ପ୍ରୋବେସନର ମାନଙ୍କୁ ଆଗାମୀ ଦିନରେ ଦୂରଦୃଷ୍ଟି ସଂପନ୍ନ ଓ ବଡ଼ ଆଭିମୁଖ୍ୟ ନେଇ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇ ଶ୍ରୀମତୀ ଗର୍ଗ କହିଲେ ଯେ, ସେମାନଙ୍କ କାର୍ଯ୍ୟ ଦ୍ୱାରା ଯେପରି ଅଧିକ ଲୋକ ଉପକୃତ ହେବେ, ସେମାନେ ସେଥି ପ୍ରତି ଦୃଷ୍ଟିଦେବେ।ଆମେ ଜଳକୁ ପିଇବା ପାଣି ଏବଂ ଶିଳ୍ପଆଦି ପାଇଁବ୍ୟବହାର କରୁଛୁ । କୃଷି ପାଇଁ ଅଧିକରୁ ଅଧିକ ଜଳସେଚନ ସୁବିଧା କରି ଏହା କିପରି ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ପାରିବ, ସେଥିପ୍ରତି ଦୃଷ୍ଟିଦେବାକୁ ସେ କହିଥିଲେ । ଜଳସେଚନ ସହିତ କୃଷିକୁ ସାଥିରେ ଏକାଠି ପ୍ରାଧାନ୍ୟ ଦେବାକୁ ସେ କହିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଜଳସଂପଦ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଶେଷ କରି ବଡ଼ ବଡ଼ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ବିଭାଗ ଗୁରୁତ୍ୱ ଦେଉଛି । ଏଥିପାଇଁ ବିଭାଗରେ ନିୟମିତ ସମୀକ୍ଷା କରାଯାଉଛି । ସେହିପରି ବଡବଡ ପ୍ରକଳ୍ପ କାର୍ଯ୍ୟକାରୀ କଲାବେଳେ ପରିବେଶ ମଂଜୁରୀ,ଭୂ-ଅଧିଗ୍ରହଣ ସମସ୍ୟା, ପୁନର୍ବାସ ଓ ଥଇଥାନ ସମସ୍ୟା ରହୁଛି । କିନ୍ତୁ ଦାୟିତ୍ୱପୂର୍ଣ୍ଣ ପୁନର୍ବାସ ଓ ଥଇଥାନକୁ ଆମେ ଗୁରୁତ୍ୱ ଦେଉଛୁ । ପ୍ରକଳ୍ପ ସଂପୂର୍ଣ୍ଣ କରିବାରେ ଡେରି ହେଲେ ଏଥିପାଇଁ ଜମି ଦେଇଥିବା ଲୋକମାନେ ପ୍ରଭାବିତ ହୋଇଥାନ୍ତି । ପ୍ରକଳ୍ପ ଖର୍ଚ୍ଚ ବଢିଯାଏ । ସେଥିପାଇଁ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷକରି ସେହି ଅଂଚଳର ଲୋକଙ୍କୁ ଆମର ନ୍ୟାୟ ଦେବା ଉଚିତ୍ ବୋଲି ସେ ପ୍ରୋବେଶନର ଅଧିକାରୀମାନଙ୍କୁ ପରାମର୍ଶ ଦେଇ ସେମାନଙ୍କୁ ଭବିଷ୍ୟତରେ ଏସବୁ ପ୍ରତି ଦୃଷ୍ଟି ଦେଇ ଦୃଢ଼ ନେତୃତ୍ୱର ସହ ଭଲକାମ କରିବାକୁ ଉତ୍ସାହିତ କରିଥିଲେ ।
ସେ କହିଥିଲେ ଯେ, ବର୍ଷା ଋତୁରେ ଯେଉଁ ଭୂପୃଷ୍ଠ ଜଳ ସମୁଦ୍ରକୁ ଚାଲିଯାଉଛି ତାହାକୁ ବିଭିନ୍ନ ଉପାୟରେ ଅଟକାଯାଇ ସଂରକ୍ଷଣ କରାଯିବା, ଚାଷ, ଜଳସେଚନ ଆଦି ଲୋକଙ୍କ କାମରେ ଲଗାଇବା ଆହ୍ୱାନ ରହିଛି।ଜଳବାୟୁ ପରିବର୍ତ୍ତନ ମୁଖ୍ୟ ସମସ୍ୟା ହୋଇଛି । କାର୍ଯ୍ୟ କଲାବେଳେ ବିଭିନ୍ନ ଚାପ ରହିବ ।କିନ୍ତୁ ଅଗ୍ରାଧିକାର ଭିତ୍ତିରେ କେଉଁ କାର୍ଯ୍ୟ ଆଗ କରିବାକୁ ହେବ, ତାହାକୁ ଲକ୍ଷ୍ୟ ରଖି କାର୍ଯ୍ୟକଲେ କାର୍ଯ୍ୟ କରିବା ସହଜ ହେବ ବୋଲି ସେ ପରାମର୍ଶ ଦେଇଥିଲେ।
ଉନ୍ନୟନ କମିଶନର ପ୍ରକଳ୍ପ କାର୍ଯ୍ୟକାରିତା ବେଳେ ବିଭିନ୍ନ ସମୟରେ ଆହ୍ୱାନର ସମ୍ମୁଖୀନ ହୋଇ ମଧ୍ୟ କିପରି ଦୃଢ ମନୋବଳର ସହ କାର୍ଯ୍ୟ କରି ସଫଳତା ପାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଲୋକମାନଙ୍କୁ ତାହା ଉପକୃତ କରିଛି, ତାହାର ଉଦାହରଣ ଦେବାବେଳେ ସେ ଭାବବିହ୍ୱଳ ହୋଇଥିଲେ, ଯାହା ଆଇଏସ୍ ପ୍ରୋବେସନର ମାନଙ୍କୁ ପ୍ରଭାବିତ କରିଥିଲା। ଆଗାମୀ ଦିନରେ ସେମାନେ ରାଜ୍ୟ ପାଇଁ ଭଲକାର୍ଯ୍ୟ କରି ନିଜ ପାଇଁ, ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରନ୍ତୁ ବୋଲି ସେ ଆଶା ପୋଷଣ କରି ପ୍ରୋବେସନ ଅଧିକାରୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଜଳ ସଂପଦ ବିଭାଗ ଅଧିନରେ ଥିବା ବୃହତ ଓ ମଧ୍ୟମ ଜଳସେଚନ, କ୍ଷୁଦ୍ର ଜଳ ସେଚନ, ଓ୍ୱାଲ୍ମୀ, ଓସିସିଏଲ ଓ ଏଲଆଇସି, ଭୂତଳ ଜଳ ବିକାଶ ଆଦି ସଂସ୍ଥା ଓ ଶାଖା ରହିଥିବା ଓ ବିଭାଗରେ କାର୍ଯ୍ୟକାରୀ କରାଯାଉଥିବା ସେଚାଞ୍ଚଳ ଉନ୍ନୟନ ଓ ଭାଗଦାରୀ ଜଳସେଚନ ବ୍ୟବସ୍ଥା, ବିଭିନ୍ନ ଜଳ ସେଚନ ପ୍ରକଳ୍ପ ପାଇଁ ଭୂ-ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା, ପ୍ରକଳ୍ପ ପରିଚାଳନା ଓ ରକ୍ଷଣା ବେକ୍ଷଣ, ଭୂପୃଷ୍ଠ ଜଳ ସଂରକ୍ଷଣ, ଭୂତଳ ଜଳର ବିକାଶ, ବନ୍ୟା ନିୟନ୍ତ୍ରଣ, ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତି, ରାଜ୍ୟ ଜଳନୀତି ପ୍ରସ୍ତୁତି, ରାଜ୍ୟ ଜଳ ଯୋଜନା , ଶିଳ୍ପ, ସହରାଞ୍ଚଳ, ଗ୍ରାମାଞ୍ଚଳ, ଜଳ କର ଆଦାୟ, ଆନ୍ତଃ ନଦୀ ଜଳ ବିବାଦର ସମାଧାନ ପଦକ୍ଷେପ ଆଦି ସଂପର୍କିତ କାର୍ଯ୍ୟ ଓ କାର୍ଯ୍ୟକ୍ରମ ସଂପର୍କରେ ଆଇଏସ୍ ପ୍ରୋବେସନର ମାନଙ୍କୁ ଅବଗତ କରାଯାଇଥିଲା ।
ପ୍ରକାଶ ଥାଉକି, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଜରିଆରେ ପ୍ରଶିକ୍ଷଣ ନେଉଥିବା ଏହି ପ୍ରୋବେଶନର ଭାରତୀୟ ପ୍ରଶାସନିକ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଅନ୍ୟ ବିଭିନ୍ନ ପ୍ରମୁଖ ବିଭାଗ ଗସ୍ତ କରି ସେମାନଙ୍କର କାର୍ଯ୍ୟ, ବିଭିନ୍ନ କାର୍ଯ୍ୟକ୍ରମ ଓ ନୀତି ସଂପର୍କରେ ଜାଣିବେ ବୋଲି ଏକାଡେମୀ ତରଫରୁ ଜଣାଯାଇଛି ।
-0-
ପଠାଣି ରାଉତ ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ