ଭୁବନେଶ୍ୱର,୧୮/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡା ବିଧାନ ସଭା ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।
୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କୁ ଶପଥ ପାଠ କରାଇଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ନିୟମାନୁଯାୟୀ, ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ଗ୍ରହଣ କରିଛନ୍ତି।
ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଧାୟକ ଭାବେ ଶପଥ ନେବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡା ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସେହିପରି ବିଧାୟକ ଭାବେ ରବି ନାୟକ, ସୂର୍ଯ୍ୟବଂଶୀ ସୂରଜ, ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ ବି ଶପଥ ନେଇଛନ୍ତି। ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ନେତାମାନେ ବିଧାନସଭାକୁ ମୁଣ୍ଡିଆ ମରି ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା।
ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଧାନସଭାରେ ପହଞ୍ଚିଛନ୍ତି। ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚିବା ମାତ୍ରେ ବିଜେଡିର ଅନ୍ୟ ବିଧାୟକ ମାନେ ତାଙ୍କୁ ପାଛୋଟି ନେଇଥିଲେ। ପରେ ନବୀନ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି।
ଅଭିନେତାରୁ ରାଜନେତା ପାଲଟିଥିବା ସିଦ୍ଧାନ୍ତ ମହାପାତ୍ର ଚଳିତବର୍ଷ ନିର୍ବାଚନରେ ପ୍ରଥମଥର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମଥର ବିଧାନସଭାକୁ ଯିବା ପାଇଁ ସେ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ସେ ସାଇକେଲରେ ବିଧାନସଭା ଆସିଛନ୍ତି। ପରିବେଶ ସୁରକ୍ଷା ନେଇ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। କେବଳ ଏତିକି ନୁହେଁ, ସମସ୍ତ ନେତା, ମନ୍ତ୍ରୀ ଓ ସାଧାରଣ ଜନତାଙ୍କୁ ମଧ୍ୟ ସାଇକେଲ ବ୍ୟବହାର ପାଇଁ ଅପିଲ କରିଛନ୍ତି। ଏନେଇ ସେ କହିଛନ୍ତି, ମୋ ଘର ଏଇଠୁ ମାତ୍ର ୧.୫ କିଲୋମିଟର। ମୁଁ କ’ଣ ପାଇଁ ଗାଡିରେ ଆସିବି। ଟ୍ରାଫିକ୍ ସମସ୍ୟା ମଧ୍ୟ ଅଛି। ଏହାଦ୍ୱାରା କେବଳ ସମୟ ବଞ୍ଚିବ ନାହିଁ, ପରିବେଶ ମଧ୍ୟ ସୁସ୍ଥ ରହିବ। ଆମେ ଯାହା କହୁଛେ, ତାହା କରି ଦେଖାଇବା ମଧ୍ୟ ଆବଶ୍ୟକ।
ବିଧାୟକମାନେ ମଙ୍ଗଳବାର ଏବଂ ବୁଧବାର ଶପଥ ଗ୍ରହଣ କରିବେ। ସନ୍ଧ୍ୟା ୫ଟା ଯାଏଁ ଶପଥ ପାଠ ଚାଲିବ। ଆଜି ଓ ଆସନ୍ତାକାଲି ଦୁଇ ଦିନ ବିଧାୟକଙ୍କ ମାନେ ଶପଥ ଗ୍ରହଣ କରିବେ।କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ କରାଇବେ। ଆସନ୍ତା ୨୦ ତାରିଖରେ ରାଜ୍ୟରେ ନୂଆ ବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୧୯ ତାରିଖରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ୨୦ରେ ବାଚସ୍ପତି ପଦ ଲାଗି ଭୋଟିଂ ହେବାକୁ ଥିବାବେଳେ କେତେଜଣ ଏଥିଲାଗି ନାମାଙ୍କନ ଦାଖଲ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିରୋଧୀ ପ୍ରାୟତଃ ବାଚସ୍ପତି ନିର୍ବାଚନ ଲାଗି ନିଜର ପ୍ରାର୍ଥୀ ଦେଇ ନ ପାରନ୍ତି। ଅନ୍ୟପଟେ ଭାଜପାରୁ କାହାକୁ ବାଚସ୍ପତି ପଦ ଲାଗି ପ୍ରାର୍ଥୀ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନୂଆ ବାଚସ୍ପତି ନିର୍ବାଚନ ପରିଚାଳନା ମଧ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରାଇବେ।ସମସ୍ତ ନିର୍ବାଚିତ ବିଧାୟକ ପ୍ରାର୍ଥୀମାନେ ଏହି ଶପଥ ପାଠ କରିସାରିଲେ ହିଁ ବିଧାନସଭାର ସମସ୍ତ କାର୍ଯ୍ୟରେ ସାମିଲ ହୋଇପାରିବେ। ଯେପରି ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାଚସ୍ପତି ନିର୍ବାଚନ, ସେଥିରେ ମଧ୍ୟ ଶପଥ ନେଇସାରିଥିବା ବିଧାୟକମାନେ ଭାଗ ନେଇପାରିବେ। ଯେଉଁମାନେ ଏହି ଦୁଇ ଦିନରେ କୌଣସି କାରଣବଶତଃ ଶପଥ ନ ନେଲେ ସେମାନେ ବାଚସ୍ପତି ନିର୍ବାଚନରେ ଭୋଟ୍ ଦେଇପାରିବେ ନାହିଁ। ନୂଆ ବାଚସ୍ପତି ଆସିବା ପରେ ତାଙ୍କ ଚାମ୍ବରରେ ଯାଇ ଶପଥ ନେବେ।ନୂଆ ବାଚସ୍ପତି ନିର୍ବାଚନ ପରିଚାଳନା ମଧ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରାଇବେ।