ତାଳଚେର,୨୬/୦୧/୨୦୨୫ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି)ର ଏକ ଯାତ୍ରୀବାହୀ ବସ୍ ବାରିପଦାରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଭିମୁଖେ ବାହାରି ଥିଲା। ଏହି ସରକାରୀ ଯାତ୍ରୀବାହୀ ବସ୍ଟି ଜାତୀୟ ରାଜପଥରେ ଯାଉଥିବା ବେଳେ ତାଳଚେରର ସମଲ ଥାନା ଅନ୍ତର୍ଗତ ଗହମ ପଞ୍ଚାୟତ ନିକଟରେ ଏକ ବୁଲାଣି ସ୍ଥାନରେ ବସଟି ଭାରସାମ୍ୟ ହରାଇ ସଂପୂର୍ଣ୍ଣ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣା ରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୧୭ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ ଟି ଓଲଟିବା ବେଳେ ଏଥିରେ ଥିବା ଯାତ୍ରୀମାନେ ଶକ୍ତ ଧକ୍କା ଖାଇଥିଲେ। କିଛି ଯାତ୍ରୀ ବସ୍ର ତଳେ ଚାପି ହୋଇଯାଇଥିଲେ। ଫଳରେ ଉଦ୍ଧାର କାର୍ୟ୍ୟରେ ବିଳମ୍ବ ହୋଇଥିଲା।
ସୂଚନା ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କର ସହାୟତାରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛି। ତେବେ ଡାକ୍ତରଖାନାରେ ୨ ଜଣ ଆହତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ୪୫ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୧୭ ଜଣଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଓଏସ୍ଆରଟିସି ବସ୍ ଓଲଟି ପଡ଼ିଲା, ୨ ଜଣଙ୍କର ମୃତ୍ୟୁ, ୧୭ ଜଣ ଗୁରୁତର ଆହତ
