କଟକ ୨୬/୦୧/୨୦୨୫ (ଓଡ଼ିଶା ସମାଚାର)-କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ନିକଟରେ ପିକଅପ ଭ୍ୟାନ ଓଲଟି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିବା ଏବଂ ଅନ୍ୟ ୨୫ ଛାତ୍ର ଆହତ ହେବା ଘଟଣାରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିନା ଅନୁମତିରେ ମାଳବିହାରପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପିଲାମାନଙ୍କୁ ସରଣ୍ଡାସ୍ଥିତ ପରେଡ ପଡ଼ିଆକୁ ପିକଅପ ଭ୍ୟାନରେ ନେଇଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣାରେ ମୃତ ଛାତ୍ର ସୌମ୍ୟରଞ୍ଜନ ବେହେରାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତ ଛାତ୍ର ଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏଥି ସହିତ ଆହତ ଛାତ୍ର ମାନଙ୍କ ପରିବାରକୁ ୩୦ ହଜାର ଟଙ୍କା ଲେଖାଏ ସହାୟତା ମଧ୍ୟ ଘୋଷଣା ହୋଇଛି। ମୃତ ଛାତ୍ର ଙ୍କ ପରିବାରକୁ ରେଡ୍ କ୍ରସ୍ ପାଣ୍ଠିରୁ ୨୫ ହଜାର ଟଙ୍କା ସହାୟତା ଦିଆଯିବ। ଦୁର୍ଘଟଣାରେ ଆହତ ୨୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ୧୨ ଜଣ ଗୁରୁତର ଆହତ ଛାତ୍ର ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ପିକଅପ ଭ୍ୟାନ ଓଲଟି ଜଣେ ଛାତ୍ରଙ୍କର ମୃତ୍ୟୁ, ୨୫ ଛାତ୍ର ଆହତ – ଅନୁକମ୍ପାମୂଳକ ସହାୟତା ଘୋଷଣା
