ଭୁବନେଶ୍ୱର,୨୬/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗଠାରେ ଅନୁଷ୍ଠିତ ରାଜ୍ୟ-ସ୍ତରୀୟ ଗଣତନ୍ତ୍ର ଦିବସ ଉତ୍ସବ ଅବସରରେ ମିଶନ ଶକ୍ତି ବିଭାଗ ଦ୍ୱାରା ଉଦ୍ୟୋଗିତା ମାଧ୍ୟମରେ ମହିଳା ସଶକ୍ତିକରଣ ପ୍ରାସଙ୍ଗିକ ପ୍ରଜ୍ଞାପନ ମେଢ, ଓଡ଼ିଶା ସରକାରଙ୍କ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରଦର୍ଶନ ଥିଲା । ଏହି ପ୍ରଜ୍ଞାପନ ମେଢରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କ ସଶକ୍ତିକରଣର ଯାତ୍ରା ଏବଂ ଲକ୍ଷପତି ଦିଦିଙ୍କ କୃତିତ୍ୱ ପ୍ରଦର୍ଶନ କରାଯାଇଥିଲା ।
ପ୍ରଜ୍ଞାପନ ମେଢରେ ମିଶନ ଶକ୍ତି ସଦସ୍ୟାଙ୍କ ଦ୍ୱାରା ପରିଚାଳିତ ଭୁବନେଶ୍ୱରରେ ସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ କାଫେ, ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦନ ,ନବରଙ୍ଗପୁରର ଆଦିବାସୀ ଅଳଙ୍କାର ଏବଂ କେନ୍ଦ୍ରାପଡ଼ାର ଗୋଲଡେନ୍ ଗ୍ରାସ ଓଡ଼ିଶାର ଐତିହ୍ୟ ଏବଂ ମହିଳାଙ୍କ ନିପୁଣ ଶିଳ୍ପକଳାର ନିଦର୍ଶନ ଥିଲା ।
ଏହି ମେଢ଼ରେ ମହିଳା ନେତୃତ୍ୱାଧୀନ କୃଷି ଯଥା କନ୍ଧମାଳର ଷ୍ଟ୍ରବେରୀ, ଡ୍ରାଗନ ଫଳ ଚାଷ ଓ ରାୟଗଡ଼ାର ଫୁଲଚାଷର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଥି ସହିତ ମିଶନ ଶକ୍ତି ବଜାର ଏବଂ ଶ୍ରୀ ଅନ୍ନ ଅଭିଯାନର ମହତ୍ୱ ଚିତ୍ରଣ କରାଯାଇଥିଲା ।
ମିଶନ ଶକ୍ତି ନିରନ୍ତର ଭାବେ ସହାୟତା, ଦକ୍ଷତା ବୃଦ୍ଧି ଓ ବଜାର ସଂଯୋଗୀକରଣ ମାଧ୍ୟମରେ ମହିଳାଙ୍କ ଉଦ୍ୟୋଗିତା ବୃଦ୍ଧି ଦିଗରେ ସର୍ବଦା ପ୍ରତିଶୃତିବଦ୍ଧ ଏବଂ ଗଣତନ୍ତ୍ର ଦିବସର ମହୋତ୍ସବରେ ଆଜି ଓଡିଶାର ମାନ୍ୟବର ରାଜ୍ୟପାଳ ଡ.ହରି ବାବୁ କମ୍ଭମ୍ ପାଟି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ପ୍ରଦର୍ଶନ ଓଡ଼ିଶାରେ ମହିଳା ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାରେ ପ୍ରତିବଦ୍ଧତା ଦର୍ଶାଇଥିଲା ।