ଯାଜପୁର, ୧୫/୦୧/୨୦୨୫ (ଓଡ଼ିଶା ସମାଚାର)- ଅଦ୍ୟ ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ଶତକଡା ୮୦ ପ୍ରତିଶତରୁ ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ୩,୫୦୦ ଟଙ୍କା ବିତରଣ ସମାରୋହ ଗୌତମ ବୁଦ୍ଧ ସଂସ୍କୃତି ଭବନ,
ଯାଜପୁର ଠାରେ ଆୟୋଜିତ ହୋଇଯାଇଅଛି।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ସମବାୟ,ହସ୍ତତନ୍ତ,ବୟନଶିଳ୍ପ ଶ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ କହିଲେ ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ୮୦ ବର୍ଷ କିମ୍ବା ତା ଠାରୁ ଅଧିକ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡା ୮୦ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ହିତାଧିକାରୀଙ୍କୁ ପୂର୍ବରୁ ୧୨୦୦ ଟଙ୍କା ଭତ୍ତା ମିଳୁଥିଲା ।
ମାତ୍ର ଏବେ ସେମାନେ ୩୫୦୦ ଟଙ୍କା ମାସିକ ଭତ୍ତା ପାଇବେ। ଯାଜପୁର ଜିଲ୍ଲାର ୮୦ ବର୍ଷ କିମ୍ବା ତା ଠାରୁ ଅଧିକ ବୟସ ବର୍ଗରେ ମୋଟ ୧୬ ହଜାର ୪୧ ଜଣ ହିତାଧିକାରୀ ଏବଂ ଶତକଡା ୮୦ ଭାଗ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ବର୍ଗରେ ୪ ହଜାର ୧୪୮ ଜଣ ହିତାଧିକାରୀ
ଉପକୃତ ହେବେ। ଜିଲ୍ଲାରେ ମୋଟ ୨୦ ହଜାର ୧୮୯ ଜଣ ଉପକୃତ ହେଉଥିବା ବେଳେ ରାଜ୍ୟରେ ୪ ଲକ୍ଷ ୧୭ ହଜାର ୪୯୬ ଜଣ ହିତାଧିକାରୀ ଉପକୃତ ହେବେ। ଏହା ବୟସ୍କ ଓ ଦିବ୍ୟାଙ୍ଗମାନଙ୍କ ପ୍ରତି ଆମର ସେବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ନୂତନ ବର୍ଦ୍ଧିତ ଭତ୍ତା ପ୍ରଦାନ ନିଷ୍ପତି ସରକାରଙ୍କ ବୟସ୍କ ଓ ଦିବ୍ୟାଙ୍ଗମାନଙ୍କ ପ୍ରତି ସମ୍ବେଦନଶୀଳତାର ପ୍ରମାଣ। ଏହା ସେମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବ । ତେଣୁ ସାମାଜିକ ନିରାପତ୍ତା ସୁନିଶ୍ଚିତ ହେବ। ଆମେ ଏପରି ଏକ ସମାଜ ଗଠନ କରିବାକୁ ଚେଷ୍ଟା କରୁଛୁ ଯେଉଁଠାରେ
ସବୁ ବର୍ଗର ବ୍ୟକ୍ତି ନିଜକୁ ସଶକ୍ତ ଅନୁଭବ କରିବେ । ପୂର୍ବରୁ ସୁଭଦ୍ରା ଯୋଜନାରେ ମା ଭଉଣୀ ମାନଙ୍କୁ ଆର୍ଥିକ ଭାବେ ସଶକ୍ତ ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ କ୍ରୟକରି ଚାଷୀ ମାନଙ୍କ ଶ୍ରମ ପ୍ରତି ଆମ ସରକାର ସମ୍ମାନ ପ୍ରଦର୍ଶନ କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ସେମାନଙ୍କ ଉପଯୁକ୍ତ ସମ୍ମାନ ପାଇଁ ସାମାଜିକ ସ୍ବୀକୃତି ପାଇଁ, ସାମାଜିକ ନିରାପତ୍ତା ପାଇଁ, ଉନ୍ନତ ଜୀବନଯାପନ ପାଇଁ। ଏଣିକି ପରିବାରରେ ବଢିବ ସେମାନଙ୍କ ସମ୍ମାନ। ସେମାନେ ଅଲୋଡ଼ା ମନେ କରିବେ ନାହିଁ ।
ବାର୍ଦ୍ଧକ୍ୟରେ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେଇପାରିବେ। ଏହି ସମାରୋହରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଲେ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ଅନୁଯାୟୀ ଯାଜପୁର ଜିଲ୍ଲାରେ ୮୦ ବର୍ଷ ଏବଂ ଉର୍ଦ୍ଧ୍ବ ୭,୭୫୨ ଜଣଙ୍କ ପାଇଁ ଭତ୍ତା ଅନୁମୋଦିତ ହୋଇଥିବା ବେଳେ ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଯୋଜନାରେ ଶତକଡା ୮୦ ପ୍ରତିଶତ ଓ ତଦୁର୍ଦ୍ଧ ୧,୩୨୨ ଜଣ ଭିନ୍ନକ୍ଷମ ପାଇଁ ମଞ୍ଜୁରୀ ହୋଇଛି। ସେହିପରି ମଧୁବାବୁ ପେନସନ ଯୋଜନାରେ ୮୦ ବର୍ଷ ଏବଂ ଉର୍ଦ୍ଧ୍ବ ୭,୩୯୨ ଜଣଙ୍କ ପାଇଁ ମଞ୍ଜୁରୀ ହୋଇଥିବା ବେଳେ ଭିନ୍ନକ୍ଷମ ୨,୯୭୮ ଜଣଙ୍କ ପାଇଁ ମଞ୍ଜୁରୀ ହୋଇଛି ।ଯେଉଁମାନେ ଭତ୍ତା ପାଇ ପାରି ନାହାଁନ୍ତି ଯଥାଶୀଘ୍ର ପଦକ୍ଷେପ ନିଆଯାଇ ଯୋଗାଇ ଦିଆଯିବ ।ଭିନ୍ନକ୍ଷମ ମାନଙ୍କୁ ଆତ୍ମନିଯୁକ୍ତି ନିମନ୍ତେ ଏମ.ସି.ଏଲ (ମହାନଦୀ କୋଲ ଫିଲ୍ଡ ଲିମିଟେଡ) ଦ୍ଵାରା ୨୨ ଗୋଟି ଇ-ରିକ୍ସା ପ୍ରଦାନ କରାଯାଇଥିଲା। ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଯାଜପୁର, ଶ୍ରୀ ଅଶୋକ କୁମାର ବେହୁରିଆ, ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯାଜପୁର ଉପସ୍ଥିତ ଥିଲେ।
୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ୩,୫୦୦ ଟଙ୍କା ବିତରଣ ସମାରୋହ।
