କେନ୍ଦ୍ରାପଡ଼ା, ୨୩/୧୨/୨୦୨୩ (ଓଡ଼ିଶା ସମାଚାର)- ଜୀବନରେ ଦୁଃଖ ନଥିଲେ ସୁଖର ସନ୍ଧାନ ମିଳେନି । ସୁଖ ଓ ଦୁଃଖକୁ ସମାନ ମନେକରି ନିଜକୁ ପ୍ରଭୁ ବା ସଦଗୁରୁଙ୍କ ନିକଟରେ ସମର୍ପଣ କରିପାରିଲେ ଜୀବନରେ ସାର୍ଥକତା ମିଳିବା ସହିତ ଦୁଖ ଓ ଯନ୍ତ୍ରଣା ଲାଘବ ହୋଇଥାଏ । ତେବେ ଭାବ ନଥିଲେ ସମର୍ପଣ ସମ୍ଭବ ହୋଇନଥାଏ ବୋଲି ଉପସ୍ଥିତ ହଜାର ହଜାର ସାଇ ଭକ୍ତଙ୍କୁ ଆଶୀର୍ବଚନ ପ୍ରଦାନ କରିଛନ୍ତି ବିଶିଷ୍ଟ ସାଇ ସାଧକ ବୁଦ୍ଧିଜୀବୀ ତଥା ଜଣାଶୁଣା ଆଧ୍ୟାତ୍ମିକ ମାର୍ଗ ଦର୍ଶକ ଗୁରୁଜୀ ଡଃ. ଚନ୍ଦ୍ରଭାନୁ ଶତପଥୀ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଂଚାୟତର ଗରାପୁରସ୍ଥିତ ସାଇବିହାରରେ ନବ ନିର୍ମିତ ଶିରିଡି ସାଇ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଉଦଘାଟକ ଭାବେ ଯୋଗଦେଇ ଗୁରୁଜୀ ଶ୍ରୀସାଇନାଥଙ୍କ ଭବ୍ୟ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରିବା ସହ ଉପସ୍ଥିତ ଶିରିଡି ସାଇବାବାଙ୍କ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଆଧ୍ୟାତ୍ମିକ ପରାମର୍ଶ ପ୍ରଦାନ କରିଥିଲେ । ଶ୍ରୀ ଶିରିଡ଼ି ସାଇ ଜନକଲ୍ୟାଣ ଟ୍ରଷ୍ଟ, କେନ୍ଦ୍ରାପଡା ପକ୍ଷରୁ ନବ ନିର୍ମିତ ଶିରିଡି ସାଇ ମନ୍ଦିରର ଉଦଘାଟନ ଉତ୍ସବ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କ ଅଧ୍ରକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗୁରୁବାର ଅଙ୍କୁରାରୋପଣ, ଗର୍ଭାଧାନ, ମଣ୍ଡଳକରଣ କରାଯିବା ପରେ ଶୁକ୍ରବାର ମହିଳାଭକ୍ତଙ୍କ ସହଯୋଗରେ ଗୁଲନଗର ସାଗରବାବା ମନ୍ଦିର ଗୋବରୀ ନଦୀ ଘାଟ ନିକଟରୁ କଳସ ଶୋଭାଯାତ୍ରା ମନ୍ଦିର ପରିସରକୁ ଆସିବା ପରେ କଳସାଧିବାସ, ଗୁରୁପୂଜନ, ଦୀପସ୍ଥାପନ, ସୂର୍ଯ୍ୟପୂଜା, ଗୋପୂଜା, ମଣ୍ଡଳ ପୂଜା, ସାଇ ହବନ, ଦତାତ୍ରେୟ ହବନ, ମହାଗଣପତି ହବନ, ବାସ୍ତୁହୋମ ପ୍ରଭୃତି ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ମନ୍ଦିର ପ୍ରତିଷ୍ଠା, ଧ୍ୱଜଚକ୍ର ପ୍ରତିଷ୍ଠା ଓ ସ୍ଥାପନ କରାଯାଇଥିଲା । ସନ୍ଧ୍ୟାରେ ବାବାଙ୍କ ଅଧିବାସ ବିଧି, ଅନ୍ନାଧିବାସ, ଜଳାଧିବାସ, ଫଳାଧିବାସ ଅନୁଷ୍ଠିତ ହୋଇଥିଲା । ଶନିବାର ଚକ୍ଷୁଉନ୍ମିଳନ କରାଯିବା ପରେ ଗୁରୁଜୀ ଶ୍ରୀ ଶତପଥୀଙ୍କ କରକମଳରେ ପ୍ରାଣ ପ୍ରତିଷ୍ଠା, ମହାଭିଷେକ, ଆରତୀ ଓ ପୁଷ୍ପାଞ୍ଜଳି ପ୍ରଭୃତି କାର୍ଯ୍ୟକ୍ରମ ସହ ଆଧ୍ୟାତ୍ମିିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ତଥା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ବିଶିଷ୍ଟ କଥାକାର ଡଃ. ରାମଚନ୍ଦ୍ର ବେହେରା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ବିଧାୟକ ଶଶିଭୁଷଣ ବେହେରା,ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ,ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଶିକ୍ଷାବିତ୍ ନନ୍ଦ କିଶୋର ପରିଡ଼ା, ଶିକ୍ଷାବିତ୍ ତପନ ପତି, ଡଃ. ବାସୁଦେବ ଦାସ, ପ୍ରଯୋଜିକା ବିନି ସାମଲ, ବଜେଡ଼ି ନେତା ରଞ୍ଜିତ କୁମାର ସାହୁ, ରାଜେଶ ପଣ୍ଡା, ଦୁର୍ଗାଶିଷ ମହାନ୍ତି, ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପକ ବିକାଶ କୁମାର ଦାସ, ପ୍ରଦୀପ୍ତ ପାଇକରାୟ, ମୃଣାଳକାନ୍ତ ନାୟକ, ସନ୍ତୋଷ ପରିଡ଼ା, ବିକ୍ରମାଦିତ୍ୟ ସାହୁ, ଚନ୍ଦ୍ରଭାନୁ ରାଉତ, ବାସୁଦେବ ସେନାପତି, ସୁନାକର ଜେନା, ଡ଼.ସୁନାକର ସାମଲ, ତନ୍ମୟ ପଲାଇ, ନରୋତମ ଜେନା, ବିଜୟ କୁମାର ଦାସ, ବନଜ କୁମାର ଦାସ, ମନୋରଞ୍ଜନ ପଟ୍ଟନାୟକ,ବିଶ୍ୱ କଲ୍ୟାଣ ଜେନା, ମହେନ୍ଦ୍ର ଆଚାର୍ଯ୍ୟ, ବିଭୁତି ଭୁଷଣ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।