Kendrapada News : ସାରା ରାଜ୍ୟରେ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୨/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରଚେଷ୍ଟାରେ ଓଡିଶାର ସମସ୍ତ ଜିଲାରେ ଦୀର୍ଘ ୮ବର୍ଷ ହେବ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ ହୋଇଆସୁଅଛି । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଶ୍ରୀମା’ଙ୍କ ଏହି ସାଧୁ ଉଦ୍ୟମ ଯୋଗୁଁ କେବଳ ଏହା ସମ୍ଭବ ହୋଇପାରିଛି । ଚଳିତବର୍ଷ ମଧ୍ୟ ସାରା ରାଜ୍ୟରେ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ବିଶ୍ୱ ପ୍ରାର୍ଥନା ସଭାରେ ଶ୍ରୀମା’ ଅଧ୍ୟକ୍ଷତା କରି କହିଥିଲେ ଯେ ବର୍ତମାନ ବିଶ୍ୱର ଅବସ୍ଥା ଦେଖି ଜଣେ ସାମାନ୍ୟ ସଚେତନ ବ୍ୟକ୍ତି ମଧ୍ୟ ଧୈର୍ଯ୍ୟ ଧରି ରହିପାରିବ ନାହିଁ । ଆମର ଏକମାତ୍ର ବଳ ହେଉଛି ବ୍ୟାକୁଳ ଭାବେ ପ୍ରଭୁଙ୍କୁ ପ୍ରାର୍ଥନା କରିବା । ତାଙ୍କ ବିଶ୍ୱକୁ ସେ ହିଁ ରକ୍ଷା କରନ୍ତୁ । ସାରା ବିଶ୍ୱରେ ଦୟା, ଶାନ୍ତି, କ୍ଷମା, ଶ୍ରଦ୍ଧା, ପ୍ରେମ ଓ ମୈତ୍ରୀ ପ୍ରତିଷ୍ଠା ହେଉ । ସମସ୍ତଙ୍କ ପ୍ରତି ଭଲପାଇବା ବୃଦ୍ଧିପାଉ ଏବଂ ବିଶ୍ୱ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ଶ୍ରୀମା ପ୍ରାର୍ଥନା କରିଥିଲେ । ଏଥିରେ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ, ସ୍ୱାମୀ ନିତ୍ୟପ୍ରେମାନନ୍ଦଜୀ, ସ୍ୱାମୀ ବିଜ୍ଞାନାନନ୍ଦଜୀ, ସ୍ୱାମୀ ରାମସରଣାନନ୍ଦ ସରସ୍ୱତୀ, ସ୍ୱାମୀ ପ୍ରଭୁଦାନନ୍ଦଜୀ, ସ୍ୱାମୀ ସତ୍ସ୍ୱରୂପାନନ୍ଦଜୀ, ସ୍ୱାମୀ ନାରାୟଣାର୍ପଣାନନ୍ଦ ସରସ୍ୱତୀ, ସ୍ୱାମୀ ଗୁରୁଶରଣାନନ୍ଦ ମାତାଜୀ ପ୍ରମୁଖ ଯୋଗଦେଇ ବିଶ୍ୱଶାନ୍ତି ପାଇଁ ସମୁହ ପ୍ରାର୍ଥନାର ଶକ୍ତି ଉପରେ ଆର୍ଶୀବଚନ ପ୍ରଦାନ କରିବା ସହ ଶ୍ରୀମା’ଙ୍କ ଏହି ସାଧୁ ଉଦ୍ୟମ ସଫଳ ହେଉ ବୋଲି କାମନା କରିଥିଲେ ।

Leave a Reply

Your email address will not be published. Required fields are marked *