ଯାଜପୁର, ୧୪/୦୪/୨୦୨୫ (ଓଡ଼ିଶା ସମାଚାର)- “୦୧.୦୪.୨୦୨୫ ରୁ ୧୪.୦୪.୨୦୨୫ – ଓଡ଼ିଆ ପକ୍ଷ ୨୦୨୫” ପାଳନ ଅବସରରେ ଗତ ୦୪.୦୪.୨୦୨୫ ରିଖରେ ଯାଜପୁର ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଏକ ପଦଯାତ୍ରା ଓ ସଚେତନତା ରଥ ସହିତ ଶୋଭାଯାତ୍ରା ବାହାର କରାଯାଇ ଯାଜପୁର ଜିଲ୍ଲାରେ ଥିବା ଦୁଇଟି ପୌରପାଳିକା ଯଥା ବ୍ୟାସନଗର ଓ ଯାଜପୁର ପୌରପାଳିକାରେ ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନରେ ଓଡିଆରେ ନାମ ଫଳକ ଲେଖିବା ପାଇଁ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଯଦି ଓଡ଼ିଆରେ ନାମ ଫଳକ ମାଲିକମାନେ ଦୁଇ ଦିନ ଭିତରେ ନ ଲେଖନ୍ତି, ତେବେ ବିଭାଗ ପକ୍ଷରୁ ନୋଟିସ ଜାରି କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଏହି ପରିପ୍ରେକ୍ଷିରେ ଯାଜପୁର ଜିଲ୍ଲାରେ ୦୭.୦୪.୨୦୨୫ ରୁ ୧୪.୦୪.୨୦୨୫ ରିଖ ମଧ୍ୟରେ ୩୦୦ ରୁ ଉର୍ଦ୍ଧ୍ବ ପ୍ରତିଷ୍ଠାନରେ ଉଭୟ ବ୍ୟାସନଗର ଓ ଯାଜପୁର ପୌରପାଳିକାରେ ଓଡ଼ିଆ ନାମ ଫଳକ ନିରୀକ୍ଷଣ କରାଯାଇଥିଲା ।
ଉକ୍ତ ସ୍ଵତନ୍ତ୍ର ଡ୍ରାଇଭ ସମୟରେ ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ଓ ସହକାରୀ ଶ୍ରମ ଅଧିକାରୀ ମାନେ ଜିଲ୍ଲାରେ ଥିବା ଦୁଇଟି ପୌରପାଳିକାରେ ସର୍ବମୋଟ ୮୨ ଗୋଟି ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନକୁ ନୋଟିସ ଜାରି କରିଥିଲେ ଏବଂ ଓଡ଼ିଆରେ ନାମ ଫଳକ ଲେଖି ଶ୍ରମ କାର୍ଯ୍ୟାଳୟରେ ଫଟୋ ସହିତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଯଦି ଦିଆଯାଇଥିବା ସମୟ ସୀମା ମଧ୍ୟରେ ଉକ୍ତ ପ୍ରତିଷ୍ଠାନ ମାନେ ଓଡ଼ିଆରେ ସୁସ୍ପଷ୍ଟ ଭାବେ ନାମ ଫଳକ ତଥା ଉକ୍ତ ପ୍ରତିଷ୍ଠାନ ଗୁଡିକ ଅନଲାଇନ ମାଧ୍ୟମରେ ଶ୍ରମ ବିଭାଗରେ ପଞ୍ଜିକରଣ ନ କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ଓଡିଶା ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନ ନିୟମ,୧୯୫୬ ର ଧାରା ୪ ର ଅନୁପାଳନ ନ କରିବା ସମ୍ବନ୍ଧେ ସେମାନଙ୍କ ବିରୁଦ୍ଧରେ ମୋକଦ୍ଦମା ଦାୟର କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଚି ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି । ଅନ୍ୟ ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନ ମାନେ ଯୋଉମାନେ ନିଜ ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନର ପଞ୍ଜିକରଣ ଆଜି ପର୍ଯ୍ୟନ୍ତ କରିନାହାଁନ୍ତି ଏବଂ ଓଡ଼ିଆରେ ସୁସ୍ପଷ୍ଟ ଭାବେ ନାମ ଫଳକ ଲେଖି ନାହାଁନ୍ତି, ତୁରନ୍ତ ସେ କାମ ସାରିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।