ମହାନ ବିପ୍ଳବୀ ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଚାଖି ଖୁଣ୍ଟିଆଙ୍କର ବଳିଷ୍ଠ ନେତୃତ୍ୱ, ଅବଦମିତ ଦେଶପ୍ରେମ, ଅତୁଳନୀୟ ତ୍ୟାଗ ଜନମାନସରେ ଚିରସ୍ମରଣୀୟ ହୋଇରହିଛି

ଭୁବନେଶ୍ୱର,୨୧/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତବର୍ଷକୁ ପରାଧିନତାର ବନ୍ଧନରୁ ମୁକ୍ତ କରିବା ପାଇଁ ବହୁ ବୀର ସ୍ୱାଧୀନତା ସଂଗ୍ରାମୀ ଜୀବନ ଉତ୍ସର୍ଗ କରିଛନ୍ତି । ସେମାନଙ୍କର ତ୍ୟାଗପୂର୍ଣ୍ଣ ବଳିଦାନ ପାଇଁ ଆମ ଦେଶ ଶେଷରେ ସ୍ୱାଧୀନ ହେଲା । ସେହିପରି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ହେଲେ ଚାଖି ଖୁଣ୍ଟିଆ । ଜଗନ୍ନାଥଙ୍କର ପରମ ସେବକ ଚାଖି ଖୁଣ୍ଟିଆଙ୍କର ବଳିଷ୍ଠ ନେତୃତ୍ୱ, ଅବଦମିତ ଦେଶପ୍ରେମ, ଅତୁଳନୀୟ ତ୍ୟାଗ ଏବଂ ସମାଜସେବା ଜନମାନସରେ ଚିରସ୍ମରଣୀୟ ହୋଇରହିଛି ଏବଂ ରହିବ ବୋଲି ମହାନ ବିପ୍ଳବୀ ଚନ୍ଦନ ହଜୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଅତିଥିମାନେ ଉଲ୍ଲେଖ କରିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଚାଖି ଖୁଣ୍ଟିଆ ସ୍ମୃତି ସମିତିର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ମହାନ ବିପ୍ଳବୀ ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଚନ୍ଦନ ହଜୁରୀଙ୍କର ଦେଶପ୍ରେମ, ବୀରତ୍ୱ ବିଷୟରେ ଆଲୋକପାତ କରିବା ସହ ଚନ୍ଦନ ହଜୁରୀ ଏକାଧାରରେ ଜଣେ ମହାନ ବିପ୍ଳବୀ, ଯୋଦ୍ଧା, ଦେଶଭକ୍ତ, ସେବକ, ସମାଜ ସଂସ୍କାରକ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ ବୋଲି ଉଲ୍ଲେଖ କରିଥିଲେ । ତାଙ୍କର ସାହିତ୍ୟ ରଚନା ସୁନ୍ଦର ଏବଂ ସରଳ । ସେ ପ୍ରଚଣ୍ଡ ପ୍ରତିଭାଧାରୀ ଏବଂ ଜଗନ୍ନାଥ ସଂସ୍କୃତିର ବାହକ ଭାବେ ସମଗ୍ର ଭାରତ ଭୂଖଣ୍ଡରେ ତାଙ୍କ କୀର୍ତ୍ତି ରଚି ଯାଇଛନ୍ତି । ଏଭଳି ମହାପୁରୁଷ ଆମ ଦେବଭୂମିରେ ବାରମ୍ବାର ଜନ୍ମ ନିଅନ୍ତୁ ବୋଲି ଶ୍ରୀମତୀ ପରିଡା କହିଥିଲେ ।

 ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ ଓ ସାହିତି୍ୟକ ଡ଼. ନଟବର ଶତପଥୀ ଚାଖି ଖୁଣ୍ଟିଆଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରି କହିଲେ ସଂସ୍କୃତିର ଚମତ୍କାରିତା ହେଇଛି ରୂପାନ୍ତରଣ ପ୍ରକ୍ରିୟା । ଯେଉଁ ଜାତି ଇତିହାସର ଦର୍ପଣରେ ରୂପାନ୍ତରଣ ପ୍ରକ୍ରିୟା ଦେଖେ ସେତେବେଳେ ଚନ୍ଦନ ହଜୁରୀଙ୍କ ନାମ ଆସେ । ଆମେ ଯେବେ ତାଙ୍କୁ ସ୍ମରଣ କରୁ ତାହା ସାଂସ୍କୃତିକ ଚେତନାର ସ୍ପୁରଣ । ସେ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ଶକ୍ତିଶାଳୀ କରି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ଓଡ଼ିଶା ବୀରତ୍ୱ ଇତିହାସରେ ଏକ ଅବିସ୍ମରଣୀୟ ଛାପ ଛାଡ଼ି ଯାଇଛନ୍ତି । ଓଡ଼ିଶାର ଗର୍ବ ଓ ଗୌରବକୁ ଜାତୀୟସ୍ତରରେ ଉଚ୍ଚତମ ସୋପାନରେ ପହଞ୍ଚାଇ ପାରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ ।

ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଚାଖି ଖୁଣ୍ଟିଆଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବାକୁ ଯାଇ କହିଲେ ଯେ ଚନ୍ଦନ ହଜୁରୀଙ୍କ ବୈପ୍ଲବିକ ଚିନ୍ତାଧାରା ଅନନ୍ୟ ଥିଲା । ଆମ ଉତ୍ତରପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ଦେଇ ଚନ୍ଦନ ହଜୁରୀଙ୍କୁ ମହାନ ବିପ୍ଳବୀ, କ୍ରାନ୍ତିକାରୀ ପୁରୁଷ ଓ ପରମ ଯୋଦ୍ଧା ଭାବେ ଅଭିହିତ କରିଥିଲେ । ସେ ୧୮୫୭ ମସିହାରେ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସମରର ଆଗ୍ରଦୂତ ଥିଲେ । ୫୨ ବର୍ଷର ଜୀବନ ଅବଧି ଭିତରେ ସେ ତାଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଜାତୀୟ ସ୍ତରରେ ଓଡ଼ିଶାର ଗର୍ବଗୌରବକୁ ମହିମାମଣ୍ଡିତ କରିଥିଲେ ଏବଂ ଯଥାର୍ଥରେ ସେ ଥିଲେ ଓଡ଼ିଆ ଅସ୍ମିତାର ପ୍ରତୀକ ବୋଲି ଶ୍ରୀ ସାମଲ ଉଲ୍ଲେଖ କରିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ମହାନ ବିପ୍ଳବୀ ଚାଖି ଖୁଣ୍ଟିଆଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଚାଖି ଖୁଣ୍ଟିଆ ସ୍କୃତି ସମିତି, ଭୁବନେଶ୍ୱରର ସଭାପତି ଡାକ୍ତର ବସନ୍ତ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ । ପଞ୍ଚମ ସାଂସ୍କୃତିକ ଅନୁଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ଭକ୍ତି ସଙ୍ଗୀତ, ଦେବଦାସୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଉପନିର୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଜୟଦେବ ଭବନ ଉପନିର୍ଦେଶକ ଦିପ୍ତିମୟୀ ମହାପାତ୍ର ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

ସକାଳେ ବିଭାଗ ତରଫରୁ ସକାଳ ୮.୩୦ ମିନିଟ୍‌ ସମୟରେ କଳ୍ପନାଛକ, ଭୁବନେଶ୍ୱରସ୍ଥିତ ଚନ୍ଦନ ହଜୁରୀ ଚାଖି ଖୁଣ୍ଟିଆଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ, ଓଡ଼ିଶା ଶ୍ରୀମତୀ ପ୍ରଭାତୀ ପରିଡ଼ା, ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଭୁବନେଶ୍ୱର, ଶ୍ରୀ ଲକ୍ଷ୍ମଣ ବେହେରା, ଚାଖି ଖୁଣ୍ଟିଆ ସ୍ମୃତି ସମିତିର ଅଧ୍ୟକ୍ଷ, ଡାକ୍ତର ବସନ୍ତ କୁମାର ପତି ତଥା ସ୍ମୃତି ପରିଷଦର ଅନ୍ୟାନ୍ୟ କର୍ମକର୍ତ୍ତା, ପୂର୍ବତନ ବିଧାୟକ, ସୁରେଶ କୁମାର ରାଉତରାୟ, ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ତଥା ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

-0-

ସରୋଜ କୁମାର ଶତପଥୀ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *