ବୟସ୍କ ଓ ଏକାଧିକ ରୋଗରେ ପୀଡିତ ରୋଗୀଙ୍କୁ ମାସ୍କ ପିନ୍ଧିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ

ଭୁବନେଶ୍ୱର,୨୩/୧୨/୨୦୨୩ (ଓଡ଼ିଶା ସମାଚାର)- ଦେଶରେ କରୋନା ସଂକ୍ରମତିଙ୍କ ସଂଖ୍ୟା ବଢିବାରେ ଲାଗିଛି। କେରଳରେ ବଢ଼ୁଥିବା କରୋନା ସଂକ୍ରମଣ ପୁରା ଦେଶର ଚିନ୍ତା ବଢ଼ାଇ ଦେଇଛି। ନୂଆ ଭାରିଆଣ୍ଟ୍ ଜେଏନ୍.୧ ପାଇଁ ଦେଶରେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହେବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୫୨ଟି କରୋନା ମାମଲା ଆସିଛି । ଅନ୍ୟପଟେ ଓଡ଼ିଶାରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୩ ତାରିଖରେ ଶେଷ ଥର ପାଇଁ ଓଡ଼ିଶାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ୨୦ ଦିନର ବ୍ୟବଧାନ ପରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ବୟସ୍କ ଓ ଏକାଧିକ ରୋଗରେ ପୀଡିତ ରୋଗୀଙ୍କୁ ମାସ୍କ ପିନ୍ଧିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏଥି ସହିତ ଗହଳି ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ସହ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ କରୋନା ମାମଲାରେ ବୃଦ୍ଧି ସହ ସକ୍ରିୟ ମାମଲା ମଧ୍ୟ ବଢ଼ି ଚାଲିଛି। ଶନିବାର ସକାଳ ୮ ଟା ସୁଦ୍ଧା ଅପଡେଟ୍ ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ କୋଭିଡ୍ ମାମଲା ବର୍ତ୍ତମାନ ୩,୪୨୦ରେ ପହଞ୍ଚିଛି। ଏହାଛଡ଼ା ଚାରି କୋଭିଡ୍ ରୋଗୀ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ କେରଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜସ୍ଥାନ ଓ କର୍ଣ୍ଣାଟକରେ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି ।

Leave a Reply

Your email address will not be published. Required fields are marked *