ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦକ୍ଷତା ବିକାଶ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, ୧୭/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା କୃଷି ଭବନର ଅଡିଟୋରିୟମରେ ଆୟୋଜନ କରାଯାଇଛି । ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୦ ଜଣ ଭାରପ୍ରାପ୍ତ ଅଧ୍ୟକ୍ଷ ଏବଂ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦୦ ଜଣ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ନେଇ ଏହି ଦକ୍ଷତା ବିକାଶ କର୍ମଶାଳା ଆୟୋଜନ କରାଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ କାଳିପ୍ରସନ୍ନ ମହାପାତ୍ର ଯୋଗଦେଇ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କୁ ନିଷ୍ଠାର ସହ କର୍ତ୍ତବ୍ୟ ପାଳନ କରିବା ନିମନ୍ତେ ପ୍ରୋତ୍ସାହିତ କରିଛନ୍ତି ।  ଉଦଘାଟନୀ ସମାବେଶରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଘୁରାମ୍ ଆର୍ ଆୟାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଶ୍ବଜିତ ଘୋଷ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ମାଳି ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି, ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ବୃଦ୍ଧି ପାଇଛି, ଡ୍ରପ୍ ଆଉଟ୍ ହାର କମିବା ସହ ପିଲାମାନଙ୍କୁ ଠିକ୍ ସମୟରେ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଛି । ରାଜ୍ୟର ବିକାଶରେ ଛାତ୍ରଛାତ୍ରୀମାନଙ୍କ ଅଂଶୀଦାରକୁ ବୃଦ୍ଧି କରିବା ନିମନ୍ତେ ସେମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ଜରୁରୀ, ଏଥି ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ବେଶ୍ ଭୂମିକା ରହିଛି । ସେ ଅଧ୍ୟକ୍ଷମାନଙ୍କୁ ସମ୍ବୋଧିତ କରି ବିଦ୍ୟାଳୟର ଶିକ୍ଷାର ମାନକୁ ବୃଦ୍ଧି କରିବା ପାଇଁ ଆହ୍ବାନ କରିଥିଲେ । ଏଥିସହ ଭଲ କରୁଥିବା ବିଦ୍ୟାଳୟଗୁଡ଼ିକୁ ଉତ୍ସାହିତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶକୁ ଅଧ୍ୟକ୍ଷମାନେ ଧ୍ୟାନ ଦିଅନ୍ତୁ ବୋଲି ସେ ମତ ପ୍ରକାଶ କରିଥିଲେ ।  ସେହିପରି ଅତିରିକ୍ତ ଶାସନ ସଚିବ ଶ୍ରୀମତି ନନ୍ଦ କହିଛନ୍ତି, ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଶିକ୍ଷଣ ପ୍ରଣାଳୀକୁ ବିକଶିତ କରିବାର ଆବଶ୍ୟକତା ରହିଛି । ନିଷ୍ଠାପରତା, ଧ୍ୟାନ ଓ ପାରଦର୍ଶିତା ସହ ରାଜ୍ୟ ସରକାରଙ୍କ ସମସ୍ତ ଶିକ୍ଷା ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ସେ ଅଧ୍ୟକ୍ଷମାନଙ୍କୁ ଆହ୍ବାନ କରିଥିଲେ ।

ଉଦଘାଟନୀ ସଭାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଆୟାର୍ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କୁ ସୂଚନା ଦେଇଥିଲେ । ଏଥିସହ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଶୈକ୍ଷିକ ସମୀକ୍ଷା କରିଛନ୍ତି । ଏହି ଏକ ଦିବସୀୟ କର୍ମଶାଳାରେ ବିଭିନ୍ନ ଅଧିବେଶନ ଯଥା- ଶୈକ୍ଷିକ ସମୀକ୍ଷା, ପରୀକ୍ଷା ପରିଚାଳନା, ଇ-ଆଡମିଶନ ପ୍ରକ୍ରିୟା, ଅନୁଦାନର ବ୍ୟବହାର, ଭିତ୍ତିଭୂମିର ବିକାଶ, ୟୁଡିଆଇଏସଇ ଓ ଆପାର୍ ଆଇଡିର ବ୍ୟବହାର, ଅନଲାଇନ୍ ଏକାଡେମିକ୍ ସପୋର୍ଟ ସିଷ୍ଟମ୍, କ୍ୟାରିୟର ପରାମର୍ଶ ଓ ଧନ୍ଦାମୂଳକ ଶିକ୍ଷା ଆଦି ବିଷୟବସ୍ତୁକୁ ନେଇ ଅଧିବେଶନର ଆୟୋଜନ କରାଯାଇଥିଲା ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ଭାରପାତ୍ର ଅଧ୍ୟକ୍ଷମାନଙ୍କୁ ପରୀକ୍ଷା ପରିଚାଳନା ନିମିତ୍ତ ସମସ୍ତ ପ୍ରକ୍ରିୟା ଓ ସୂଚନା ପ୍ରଦାନ କରିଥିଲେ l ଡ. ଉମାକାନ୍ତ ସେଠି ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ନାମ ଲେଖା ପ୍ରକ୍ରିୟା ଓ ସାମ୍ସ ସମ୍ବନ୍ଧିୟ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ I ୟୁନିସେଫ୍ ର ତୃପ୍ତି କୌର କ୍ୟାରିୟର ପରାମର୍ଶ  ବିଷୟରେ  ଅବଗତ କରିଥିବା ବେଳେ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଜୁଲି ମଙ୍ଗରାଜ ଓ ଧନ୍ଦାମୂଳକ ଶିକ୍ଷାର ଗବେଷଣା ସହାୟିକା ଶ୍ରୀମତୀ ସ୍ମିତା ରେଖା ମହାନ୍ତି ଧନ୍ଦାମୂଳକ ଶିକ୍ଷା ବିଷୟରେ ଆଲୋଚନା କରିଥିଲେ l ଓସେପା ପକ୍ଷରୁ ଶ୍ରୀମତୀ ସ୍ମିତା ମହାନ୍ତି ଓ ଶ୍ରୀମତୀ ନମିତା ପଣ୍ଡା UDISE ଅପଡେଟ୍ ଓ AAPAR ID ପରିଚାଳନା ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ l ନିର୍ଦ୍ଦେଶାଳୟ ତରଫରୁ ଅନଲାଇନ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଶୈଖିକ ସହାୟକ କାର୍ଯ୍ୟକ୍ରମ ବିଷୟରେ ଡ. ପ୍ରମୋଦ କୁମାର ରାୟ ଓ ଏଏସପି ପରାମର୍ଶଦାତା ଶ୍ରୀ ଆଶୁତୋଷ ଦାସ ଶୈଖିକ ସହାୟକ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ତଥ୍ୟ ପ୍ରଦାନ କରିଥିଲେ l

-0-

ରୋଜାଲିନ୍ ସାହୁ,ଲୋକସମ୍ପର୍କ ଅଧିକାରୀ ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *