ଓଡ଼ିଶାକୁ ଏକ ଯୌତୁକମୁକ୍ତ ରାଜ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୧୭/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ – ଏହା ଏକ ସାମାଜିକ ବ୍ୟାଧି । ଯୌତୁକ ନିଷେଧ ଆଇନ ୧୯୬୧ ପ୍ରଣୟନର ୬୦ ବର୍ଷ ପରେ ମଧ୍ୟ ସମାଜରେ ଏବେ ବି ଯୌତୁକ ଦିଆନିଆ ହଉଛି ବୋଲି ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମରେ ଦୃଢ ମତ ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।

ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନର କନଭେନସେନ ସେଣ୍ଟରରେ ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପ-ଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାକୁ ଏକ ଯୌତୁକମୁକ୍ତ ରାଜ୍ୟ ଭାବେ ପରିପ୍ରକାଶ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ତୃଣମୂଳସ୍ତରରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ଓ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଛନ୍ତି । ଆମର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନଗୁଡିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱ । ତେଣୁ ଉପ-ଜିଲ୍ଲାପାଳ ଭାବରେ, ଏହି ଯୌତୁକ ନିଷେଧ ଅଧିନିୟମ, ୧୯୬୧ ଆଇନକୁ କଡାକଡି ଭାବେ କାର୍ଯ୍ୟକରି କରିବା ସହିତ ଏହି ଆଇନର ଦୁରୁପୋଯୋଗକୁ ରୋକିବାରେ ଉପ- ଜିଲ୍ଲାପାଳଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ଓଡ଼ିଶାରେ ଉପ-ଜିଲ୍ଲାପାଳ ତଥା ସବ-ଡିଭିଜନାଲ ମାଜିଷ୍ଟ୍ରେଟମାନଙ୍କୁ ଯୌତୁକ ନିଷେଧ ଅଧିକାରୀ ଭାବେ ଘୋଷଣା କରାଯାଇଛି । ଏହି ଆଇନ ଅନୁଯାୟୀ ଯୌତୁକ ନିଷେଧ ଅଧିକାରୀମାନଙ୍କୁ ଯୌତୁକ ମାମଲାରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା, ଅନୁସନ୍ଧାନ କରିବା ଏବଂ ପ୍ରମାଣ ସଂଗ୍ରହ କରିବାକୁ କ୍ଷମତା ପ୍ରଦାନ କରାଯାଇଛି । ପ୍ରତ୍ୟେକ ଅଧିନିୟମର ସଫଳତା ସଠିକ ଓ ସମୟୋଚିତ କାର୍ଯ୍ୟକାରିତା ତଥା ବ୍ୟାପକ ଜନସଚେତନତା ଉପରେ ନିର୍ଭର କରେ । ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ମାଧ୍ୟମରେ ଯୌତୁକ ଆଇନ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ସେ ଉପ- ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳାମାନଙ୍କ ସମ୍ମାନ ପାଇଁ ଏହା ଏକ ବଡ ପଦକ୍ଷେପ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଓ ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାର ଉପ- ଜିଲ୍ଲାପାଳମାନେ ଯୋଗଦେବା ସହ ମୁଖ୍ୟବକ୍ତା ଭାବେ ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ଶ୍ରୀ ଦୀପକ ନରେନ୍ଦ୍ର ଯୋଗ ଦେଇଥିଲେ । ସୂଚନାଯୋଗ୍ୟ କି ରାକ୍ଷସ ରୂପକ ଏହି କ୍ଷତିକାରକ ଅଭ୍ୟାସକୁ ଦୂର କରିବା ଉଦ୍ଦେଶ୍ୟରେ ଯୌତୁକ ନିଷେଧ ଅଧିନିୟମ, ୧୯୬୧ ପ୍ରଣୟନ କରାଯାଇଥିଲା । ଏହି ଆଇନ ଯୌତୁକକୁ ବିବାହ ସହିତ ଜଡିତ କୌଣସି ସମ୍ପତ୍ତି କିମ୍ବା ଅନ୍ୟ ପକ୍ଷ ଦ୍ୱାରା ଦିଆଯାଇଥିବା ମୂଲ୍ୟବାନ ସାମଗ୍ରୀ ଭାବରେ ବ୍ୟାଖ୍ୟା କରେ । ଏଥିରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ଯୌତୁକ ଦାବି କରିବା, ଗ୍ରହଣ କରିବା କିମ୍ବା ଦେବା ଏକ ଦଣ୍ଡନୀୟ ଅପରାଧ, ଏବଂ ଏହା ବିବାହ ପୂର୍ବରୁ, ବିବାହ ସମୟରେ କିମ୍ବା ବିବାହ ପରେ ପ୍ରଯୁଜ୍ୟ । ଯୌତୁକ କାର୍ଯ୍ୟରେ ସାହାଯ୍ୟ କରୁଥିବା କିମ୍ବା ଉସୁକାଉଥିବା ଲୋକଙ୍କୁ ମଧ୍ୟ ଏହି ଅଧିନିୟମ ଦଣ୍ଡିତ କରେ । ଯୌତୁକ ଦାବି କିମ୍ବା ଗ୍ରହଣ କରିବା ପାଇଁ ଦଣ୍ଡ ହେଉଛି ୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଦିଆଯାଇଥିବା ଯୌତୁକର ମୂଲ୍ୟ, ଯାହା ଅଧିକ । ଏପରିକି ଯୌତୁକକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନ ମଧ୍ୟ ଏହି ଆଇନ ଅନୁଯାୟୀ ବେଆଇନ ।

-0-

ତନୁଜା ମହାନ୍ତି, ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *