ଜରୁରୀ ପରିସ୍ଥିତିରେ ଜେଲ ଯାଇଥିବା ବନ୍ଦୀମାନଙ୍କୁ ଭତା ପ୍ରଦାନ କରାଯିବ

କେନ୍ଦ୍ରାପଡ଼ା, ୧୩/୦୧/୨୦୨୫ (ଓଡ଼ିଶା ସମାଚାର)- ୧୯୭୫ମସିହାରୁ ୧୯୭୭ମସିହା ପର୍ଯ୍ୟନ୍ତ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତରେ ତତ୍କାଳୀନ ସରକାରଙ୍କ ନିଷ୍ପତି ବିରୁଦ୍ଧରେ ଯେଉଁମାନେ ଆନ୍ଦୋଳନ କରିଥିଲେ ଓ କାରାବରଣ କରି ବନ୍ଦୀ ଜୀବନ କଟାଇଥିଲେ ସେମାନଙ୍କୁ ଭତା ପ୍ରଦାନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ସୂଚନା ଯୋଗ୍ୟ ଯେ ୨୫.୦୬.୧୯୭୫ରିଖ ଠାରୁ ତା ୨୧.୦୩.୧୯୭୭ରିଖ ପର୍ଯ୍ୟନ୍ତ ଜରୁରୀ କାଳୀନ ପରିସ୍ଥିତି ଜାରି କରାଯାଇ ମିସା ଡି.ଆଇ.ଆର. ଓ ଡି.ଆଇ.ଏସ.ଆଇ.ଆର.ରୁଲ ଅଧିନରେ ଆନ୍ଦୋଳନକାରୀଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଯେଉଁମାନେ ଏହି ସମୟସୀମା ମଧ୍ୟରେ ଉପରୋକ୍ତ ଆଇନ ବଳରେ ଜେଲଦଣ୍ଡ ଭୋଗିଥିବେ ସେମାନଙ୍କୁ ମାସିକ ୨୦ହଜାର ଟଙ୍କା ଭତା ପ୍ରଦାନ କରାଯିବା ସହ ମୁକ୍ତ ଚିକିତ୍ସା ସହାୟତା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତା ୧.୧.୨୦୨୫ରିଖକୁ ଧାର୍ଯ୍ୟଦିବସ ଭାବେ ଦରାଯାଇଛି । ଏହି ଦିବସ ସୁଦ୍ଧା ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କୁ ଏହି ଭତା ପ୍ରଦାନ କରାଯିବ । ନିର୍ଦ୍ଧିଷ୍ଟ ଫର୍ମ ପୁରଣ କରି ଜିଲାପାଳଙ୍କୁ ଆବେଦନ କରିବା ସମୟରେ ନାମ, ପିତାଙ୍କ ନାମ, ଜନ୍ମ ତାରିଖ, ଆଧାର ନମ୍ବର, କାରାବରଣ ସମୟସୀମା ଓ କାରାବରଣ ସ୍ଥାନ ଆଦି ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ସହିତ ନିଜ କାରାବରଣ ସମୟର ଅନୁ୍ୟନ ତିନିଜଣ ସହକର୍ମୀଙ୍କ ନାମ ଉଲ୍ଲେଖ କରିବା ଆବଶ୍ୟକ ବୋଲି ସୂଚନା ପ୍ରଦାନ କରାଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟରେ ହସ୍ତଗତ ହୋଇଥିବା ଦରଖାସ୍ତ ଗୁଡିକୁ ସଠିକ ଯାଂଚ କରାଯାଇ ରାଜ୍ୟ ସ୍ତରୀୟ ଯାଂଚ କମିଟିକୁ ପ୍ରେରଣ କରାଯିବ । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲା ସ୍ତରୀୟ ଯାଂଚ କମିଟିରେ ଆରକ୍ଷୀ ଅଧୀକ୍ଷକ ଓ ଜେଲ ଅଧୀକ୍ଷକ ସଭ୍ୟ ଅଛନ୍ତି । ଆବେଦନକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆବଶ୍ୟକୀୟ କାଗଜପତ୍ର ଫେକ୍ ବୋଲି ପ୍ରମାଣିତ ହେଲେ ପ୍ରଦାନ କରାଯାଇଥିବା ଭତା ସହିତ ବାର୍ଷିକ ୧୨ପ୍ରତିଶତ ସୁଧ ଆବେଦନକାରୀଙ୍କ ଠାରୁ ଅସୁଲ କରାଯିବ । ଯଦି ଆବେଦନକାରୀଙ୍କ ବିରୁଦ୍ଧରେ କୌଣସି କ୍ରିମିନାଲ କେଶ ଥିବ କିମ୍ବା ବିଚାରାଳୟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବେ ତାଙ୍କର ଆବେଦନପତ୍ରକୁ ବିଚାର କତରାଯିବ ନାହିଁ ।

Leave a Reply

Your email address will not be published. Required fields are marked *