ଆନ୍ଧ୍ରରେ ହେବ ମାଡ଼, ଓଡ଼ିଶାରେ ବର୍ଷିବ
୨୦ ତାରିଖ ମଧ୍ୟାହ୍ନରେ ନେଲୁର-ଟୁନି ମଧ୍ୟରେ ସ୍ଥଳଭାଗ ଛୁଇଁପାରେ
ଉପକୂଳବର୍ତୀ ଅଂଚଳରେ ବଢ଼ିଲା ଚିନ୍ତା
ଝଟକା ପବନ ବେଗ ରହିପାରେ ୧୪୫ କିମି
ପୁରୀ, ଗଞ୍ଜାମ ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର,୧୭/୧୧/୨୦୨୬ (ଓଡ଼ିଶା ସମାଚାର)- ପଶ୍ଚିମ-କେନ୍ଦ୍ରୀୟ ବେଙ୍ଗାପସାଗରରେ ସୋମବାର ସନ୍ଧ୍ୟାରେ ସୃଷ୍ଟି ହୋଇଛି ବାତ୍ୟା ‘ଅକ୍ୱାନ’ । ଏହା ଘଂଟା ପ୍ରତି ୧୦ କିମି ବେଗରେ ଉତରକୁ ଗତି କରୁଛି । ଏହା ବିଶାଖାପାଟଣା ଠାରୁ ୬୭୦ କିମି ଓ ଗୋପାଳପୁରଠାରୁ ୭୯୦ କିମି ଦୂରରେ ରହିଛି । ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼କୁ ଏହି ଶକ୍ତିଶାଳୀ ବାତ୍ୟା ମାଡ଼ି ଆସୁଛି । ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି । ନେଲୁର ଓ ଟୁନି ମଧ୍ୟରେ ଅତି ଭୀଷଣ ବାତ୍ୟା ଭାବେ ଏହା ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ୍ ସମୟରେ ବାତ୍ୟାର ପ୍ରଭାବରେ ପବନର ବେଗ ଘଂଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବା ସମ୍ଭାବନା ରହିଛି । ଏପରିକି ମଝିରେ ମଝିରେ ପବନର ଝଟକା ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଂଚିପାରେ ।
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଉପକୂଳବର୍ତୀ ଅଂଚଳରେ ଚିନ୍ତା ବଢ଼ିଛି । ଆସନ୍ତା ୨୧ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୧୮ ତାରିଖରୁ ରାଜ୍ୟରେ ଏହାର ପ୍ରଭାବ ପଡ଼ିପାରେ । ବୁଧବାର ପାଇଁ ରାଜ୍ୟର ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାପରେ ୧୯, ୨୦ ଓ ୨୧ ତାରିଖ ଲଗାତାର ୩ ଦିନ ଧରି ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ଓ ପବନର ସମ୍ଭାବନା ରହିଛି । ୧୯ ତାରିଖରେ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୦ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଏବଂ ୨୧ ତାରିଖରେ ପଶ୍ଚିମ ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୂଚନାଯୋଗ୍ୟ ଯେ ‘ଅକୱାନ୍’ ନାମଟି ପାରସ୍ୟର ପୌରାଣିକ କାହାଣୀରେ ଥିବା ଜଣେ ଚତୁର ରାକ୍ଷସ ‘ଅକୱାନ୍-ଏ-ଦିବ୍’ ସହ ଜଡ଼ିତ । ଏନସାଇକ୍ଲୋପିଡିଆ ଇରାନିକା ଅନୁସାରେ, ଏହି ଶବ୍ଦର ଉତ୍ପତି ‘ଅକା ମନହ’ ଶବ୍ଦରୁ ହୋଇଛି । ‘ଅକା’ର ଅର୍ଥ ଖରାପ ବା ମନ୍ଦ ଏବଂ ‘ମନହ’ର ଅର୍ଥ ମନ ବା ଚିନ୍ତାଧାରା ।
