ଭୁବନେଶ୍ୱର,୧୭/୧୧/୨୦୨୬ (ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବର ମୁକାବିଲା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ମୁକାବିଲା ସମ୍ପର୍କିତ ସମୀକ୍ଷା ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ସମସ୍ତ ଜିଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି । ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏଥିସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୋଷ୍ଟଗାର୍ଡ ଓ ନୌସେନାର ହେଲିକପ୍ଟରକୁ ମଧ୍ୟ ସଜାଗ ରଖାଯିବ ।
କେତେକ ଜିଲାରେ ଡ୍ୟାମ୍ ର ଗେଟ୍ ଖୋଲାଯାଇ ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ କରାଯାଉଛି । ଏହାଦ୍ୱାରା ସମ୍ଭାବ୍ୟ ଅଧିକ ବର୍ଷା ଓ ଜଳପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି କରାଯାଉଛି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସମସ୍ତ ଅଧିକାରୀଙ୍କୁ ନିଜ ନିଜ କାର୍ଯ୍ୟସ୍ଥଳରେ ରହିବାକୁ ନିର୍ଦେଶ ଦିଆଯାଇଛି । ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ଗୁଡ଼ିକୁ ବିଭିନ୍ନ ଆବଶ୍ୟକ ସ୍ଥାନକୁ ମଙ୍ଗଳବାର ପଠାଯିବ । ୭୪ଟି ଉଦ୍ଧାରକାରୀ ଦଳ (ଯେଉଁଥିରେ ୬୦ଟି ଓଡ୍ରାଫ ଏବଂ ୧୪ଟି ଏନଡିଆରଏଫ ଦଳ ଅନ୍ତର୍ଭୁକ୍ତ) ନିୟୋଜନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଆବଶ୍ୟକତା ଅନୁଯାୟୀ, ଏହି ଦଳଗୁଡ଼ିକୁ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଜିଲାଗୁଡ଼ିକରେ ରଣନୀତିଗତ ଭାବେ ମୁତୟନ କରାଯିବ ।
‘ଭୂସ୍ଖଳନ ଆଶଙ୍କା: ଲୋକେ ହେବେ ସ୍ଥାନାନ୍ତର’
