କେନ୍ଦ୍ରାପଡାରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ

                                                                   ‘ସାମ୍ବାଦିକତାରେ କର୍ତବ୍ୟବୋଧ, ସତ୍ୟନିଷ୍ଠା ଗୁରୁତ୍ୱପୂର୍ଣ୍ଣ’
କେନ୍ଦ୍ରାପଡ଼ା,୧୬/୧୧/୨୦୨୬ (ଓଡ଼ିଶା ସମାଚାର)- ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଜିଲାପାଳଙ୍କ ସଦଭାବନା ସଭାଗୃହରେ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଏଥିରେ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ପ୍ରଫେସର ତପନ କୁମାର ପତି ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରି ଜାତୀୟ ପ୍ରେସ ଦିବସର ଗୁରୁତ୍ୱ, ଉଦ୍ଧେଶ୍ୟ ଏବଂ ସାମ୍ବାଦିକତାର ସାମାଜିକ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଗଣମାଧ୍ୟମ ଗଣତନ୍ତ୍ରର ଏକ ମୁଖ୍ୟ ସ୍ତମ୍ଭ ଭାବେ ଜନସାଧାରଣଙ୍କ ସ୍ୱରକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଂଚାଇବା ସହ ସମାଜରେ ସଚେତନତା ସୃଷ୍ଟି କରିଥାଏ ।

ସାମ୍ବାଦିକମାନେ ନିଜର ବୃତିଗତ ଦାୟିତ୍ୱ ନିର୍ବାହ କରିବା ସମୟରେ ସତ୍ୟତା, ନିରପେକ୍ଷତା ଓ ବିଶ୍ୱସନୀୟତାକୁ ପ୍ରାଧାନ୍ୟ ଦେବା ଉଚିତ । ଜନସ୍ୱାର୍ଥ ସମ୍ବଳିତ ଖବରକୁ ଗୁରୁତ୍ୱ ଦେବା ସହ ସକାରାତ୍ମକ ସାମ୍ବାଦିକତା ମାଧ୍ୟମରେ ସମାଜର ବିକାଶରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । ଚଳିତ ବର୍ଷ ଜାତୀୟ ପ୍ରେସ ଦିବସର ବିଷୟବସ୍ତୁ ‘ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତବ୍ୟବୋଧ’ ଉପରେ ସଭାରେ ବିସ୍ତୃତ ଆଲୋଚନା ହୋଇଥିଲା । ମୁଖ୍ୟବକ୍ତା ପ୍ରଫେସର ପତି ନିଜ ବକ୍ତବ୍ୟରେ ସାମ୍ବାଦିକତାର ମୂଳ ଆଦର୍ଶ ଓ ନୈତିକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ବର୍ତମାନର ପ୍ରତିଯୋଗିତାମୂଳକ ପରିବେଶରେ ଲୋକପ୍ରିୟତା ଓ ଦ୍ରୁତ ଖବର ପ୍ରସାର ଅପେକ୍ଷା ସତ୍ୟାସତ୍ୟ ଯାଂଚ ଏବଂ ଜନସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦେବା ଜଣେ ଦାୟିତ୍ୱବାନ ସାମ୍ବାଦିକଙ୍କ ପ୍ରମୁଖ କର୍ତବ୍ୟ ।

ଅନ୍ୟତମ ଅତିଥି ଶ୍ରୀ ଗୌଡ଼ ଖବର ପ୍ରସାରଣ ସମୟରେ ସଂଯମତା ଓ ସାମାଜିକ ସମ୍ବେଦନଶୀଳତା ବଜାୟ ରଖିବା ସହ ଅପ୍ରମାଣିତ ଖବରର ପ୍ରସାରରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ଚିତରଞ୍ଜନ ଦାସ, ରବିନାରାୟଣ ପତି, ମାତୃଦତ ମହାନ୍ତି, ସରୋଜ କୁମାର ପରିଡ଼ା, ନିହାର ରଞ୍ଜନ ସାହୁ, ପ୍ରଭାତ ଲେଙ୍କା ଓ ଅଲେଖ ନାୟକ ପ୍ରମୁଖ ଚଳିତ ବର୍ଷର ବିଷୟବସ୍ତୁ ଉପରେ ନିଜ ନିଜର ମତ ରଖିଥିଲେ । ଡିଜିଟାଲ ଓ ସାମାଜିକ ଗଚ୍ଚମାଧ୍ୟମର ବର୍ଦ୍ଧିତ ପ୍ରଭାବ ମଧ୍ୟରେ ଭ୍ରମାତ୍ମକ ସୂଚନାର ପ୍ରସାର ରୋକିବା ଦିଗରେ ସାମ୍ବାଦିକମାନଙ୍କ ଦାୟିତ୍ୱ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ । ଖବରର ଲୋକପ୍ରିୟତା ପାଇଁ ଏହାର ଗୁଣବତା ଓ ସତ୍ୟତା ସହ ସାଲିସ ନକରି ସମାଜର ବାସ୍ତବ ସମସ୍ୟା ଓ ସଫଳତାକୁ ନିରପେକ୍ଷ ଭାବେ ଲୋକଲୋଚନକୁ ଆଣିବା ସାମ୍ବାଦିକତାର ମୂଳ ଲକ୍ଷ୍ୟ ହେବା ଉଚିତ ବୋଲି ସଭାରେ ମତ ପ୍ରକାଶ ପାଇଥିଲା ।ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକତାର ମୂଳ ଆଦର୍ଶ, ସ୍ୱାଧୀନତା ଓ କର୍ତବ୍ୟବୋଧକୁ ଅକ୍ଷୁଣ୍ଣ ରଖି ଏକ ସୁସ୍ଥ ସମାଜ ଗଠନରେ ସକ୍ରିୟ ଭୂମିକା ନିର୍ବାହ କରିବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *