ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା
ବୌଦ୍ଧ,୧୨/୦୧/୨୦୨୫ (ଓଡ଼ିଶା ସମାଚାର)- ବୌଦ୍ଧ ଜିଲା ସଦର ବ୍ଲକ ମୁନ୍ଦିପଦର ପଞ୍ଚାୟତ ଅନ୍ତର୍ଗତ ବଲାକିରା ଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳଗଦାରେ ପୋଡ଼ି ହୋଇ ମାମୁ-ଭଣଜାଙ୍କ ମୃତ୍ୟୁ ହୋଇଛି। ଘଟଣା ନେଇ ବଲାକିରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଖବର ଅନୁସାରେ, ବସନ୍ତବାହଲ ଗ୍ରାମର ସଞ୍ଜିତ ଉର୍ମାଙ୍କ ପୁଅ କ୍ରୀଷ୍ଣା ଉର୍ମା ନିଜ ମାମୁ ଘର ବଲାକିରାକୁ ୨/୩ ଦିନ ପୂର୍ବେ ବୁଲି ଆସିଥିଲେ। ଗତକାଲି ସନ୍ଧ୍ୟାରେ ବଲାକିରା ଗ୍ରାମର ସୁବଳ ଭୋଇଙ୍କ ପୁଅ କ୍ରୀଷ୍ଣା ଭୋଇ(ମାମୁ)ଙ୍କ ସହ ପାଳ ଗଦା ନିକଟରେ ନିଆଁ ପୁଆଁଉଥିବାବେଳେ ପାଳଗଦାରେ ନିଆଁ ଲାଗି ଯାଇଥିଲା। ଉଭୟ ଭୟଭୀତ ହୋଇ ନିକଟରେ ଲୁଚି ଯାଇଥିଲେ। ହେଲେ ପାଳ ନିଆଁ ପ୍ରସାରିତ ହେବା ସହ ଉଭୟ ଦଗ୍ଧୀଭୂତ ହୋଇଥିଲେ। ଦୁଇ ସଂପର୍କରେ ମାମୁ-ଭଣଜା ବୋଲି ସୂଚନା ମିଳିଛି। ମୃତ ନାବାଳକଙ୍କ ଶବ ଜବତ କରି ବାଉଶୁଣି ପୁଲିସ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଘଟଣାସ୍ଥଳରେ ବାଉଁଶୁଣି ପୁଲିସ ତଦନ୍ତ ଜାରି ରଖିଛି। ରବିବାର ବୌଦ୍ଧ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।
https://x.com/CMO_Odisha/status/1878135089630220561
ବୌଦ୍ଧ ଜିଲ୍ଲା ବାଉଁଶୁଣିର ଦୁଇ ନାବାଳକ ଅଗ୍ନିକାଣ୍ଡ ଯୋଗୁଁ ଜୀବନ୍ତ ଦଗ୍ଧ ହେବା ଘଟଣାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ନିମନ୍ତେ ₹୪ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ମୃତକଙ୍କ ଅମର ଆତ୍ମର ସଦଗତି କାମନା କରିବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।