କଟକ, ୧୨/୦୧/୨୦୨୫ (ଓଡ଼ିଶା ସମାଚାର)- ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି। ଏଭଳି ଘଟଣା କଟକ ସଦର ଥାନା ସୁଭଦ୍ରାପୁରରେ ଘଟିଛି। ବୋମାମାଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟବସାୟିକ ଶତ୍ରୁତାରୁ ବୋମାମାଡ ସନ୍ଦେହ କରାଯାଉଛି। ବ୍ୟକ୍ତିଜଣଙ୍କ ଦୀର୍ଘ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ବାଉଁଶ ବ୍ୟବସାୟ କରୁଥିଲେ। ତେଣୁ ଆଖପାଖ ଅଞ୍ଚଳର ବ୍ୟବସାୟୀଙ୍କ ସହ ଶତ୍ରୁତା ଥିବା ଅନୁମାନ କରାଯାଉଛି।
ସୂଚନା ମୂତାବକ ଗତକାଲି ବିଳମ୍ବିତ ରାତିରେ ବାଉଁଶ ବ୍ୟବସାୟୀ ଅଜୟ ନାୟକ ଘରେ ଥିବା ବେଳେ ହଠାତ୍ କେହି ଦୁର୍ବୃତ୍ତ ଆସି ତାଙ୍କ ଘର ଉପରକୁ ବୋମାମାଡ କରିଛନ୍ତି। ପ୍ରଚଣ୍ଡ ଶଦ୍ଦରେ ଚର୍ତୁଦିଗ ଧୂଆଁମୟ ହୋଇଯାଇଥିଲା। କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ସେପଟେ ଖବର ପାଇ ସଦର ଥାନା ଆଇଆଇସି ଏବଂ ଜୋନ୍ ୪ ଏସପି ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ଦୁର୍ବୃତ୍ତ ମାନେ ଫେରାର୍ ହୋଇଯାଇଛନ୍ତି।