ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହେଲା ରାଜାରାଣୀ ସଂଗୀତ ମହୋତ୍ସବ

ଓଡ଼ିଶୀ, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଂଗୀତର ପରିବେଷଣରେ ଉଲ୍ଲସିତ ହେଲେ ଦର୍ଶକ

ପ୍ରଥମ ଦିନର ସାଂସ୍କୃତିକ ସନ୍ଧ୍ୟାରେ ଯୋଗଦେଲେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ୱର,୦୮/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ  ଆରମ୍ଭ ହୋଇଯାଇଛି ରାଜାରାଣୀ ସଂଗୀତ ମହୋତ୍ସବ। ଓଡ଼ିଶୀ, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଂଗୀତ ପରିବେଷଣ ପାଇଁ ପ୍ରସ୍ତୁତ ହୋଇରହିଛି ରାଜାରାଣୀ ମୁକ୍ତାକାଶ ସାଂସ୍କୃତିକ ମଞ୍ଚ।

ଆଜିର ଉଦଘାଟନୀ ସମାରୋହରେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଅତିଥି ଭାବେ ଯୋଗଦେଇ କଣ୍ଠଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଆଜିର ପ୍ରଥମ ଦିନର ସାଂସ୍କୃତିକ ସନ୍ଧ୍ୟାରେ ସତ୍ୟବ୍ରତ କାଠ ଓ ଗ୍ରୁପ ଓଡ଼ିଶୀ ସଂଗୀତ ଓ କିରୱାନୀ ରାଗରେ ହିନ୍ଦୁସ୍ତାନୀ ସଂଗୀତ ପରିବେଷଣ କରିଥିବାବେଳେ ମହେଶ ବିନାୟକରାମ ଏବଂ ଗ୍ରୁପଙ୍କ ଦ୍ୱାରା କର୍ଣ୍ଣାଟକୀ ସଂଗୀତ ପରିବେଷଣ କରାଯାଇଥିଲା।

ପ୍ରକାଶଯୋଗ୍ୟ ଯେ, ରାଜାରାଣୀ ସଂଗୀତ ମହୋତ୍ସବ ଆସନ୍ତା ୧୧ ଜାନୁୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜାରାଣୀ ମୁକ୍ତାକାଶ ସାଂସ୍କୃତିକ ମଞ୍ଚରେ କଣ୍ଠଶିଳ୍ପୀମାନେ ଓଡ଼ିଶୀ, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଂଗୀତ ପରିବେଷଣ କରିବା ସହ ବିଭିନ୍ନ ବାଦ୍ୟ ଦ୍ୱାରା ମଧ୍ୟ ସଂଗୀତକାରମାନେ ସଂଗୀତ ପରିବେଷଣ କରିବେ। ଏହି ସମୟ ମଧ୍ୟରେ ପ୍ରବାସୀ ଭାରତୀୟ ଦିବସ ମଧ୍ୟ ଅନୁଷ୍ଠିତ ହେଉଥିବାରୁ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଅତିଥିମାନେ ମଧ୍ୟ ଏହି ମହୋତ୍ସବ ମାଧ୍ୟମରେ ଆମ ଗୌରବମୟ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି।

-0-

ଅମ୍ଳାନ ଦାସ, ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *