ଭୁବନେଶ୍ୱର,୦୮/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ରବୀନ୍ଦ୍ର ମଣ୍ଡପ ଠାରେ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଉଦଘାଟନୀ ସନ୍ଧ୍ୟାରେ ସୁବିଖ୍ୟାତ ସଂଗୀତ ଶିଳ୍ପୀ ଶ୍ରୀମତୀ ଶ୍ୟାମାମଣୀ ଦେବୀ, ବିଶିଷ୍ଟ ସଂସ୍କୃତ ବିଶାରଦ ପ୍ରଫେସର ଶ୍ରୀଯୁକ୍ତ ପ୍ରଫୁଲ୍ଲ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ବିଶିଷ୍ଟ ନୃତ୍ୟଶିଳ୍ପୀ କୁମ୍କୁମ୍ ମହାନ୍ତି ଶ୍ରୀରାମ ବନ୍ଦନା ଏବଂ ଗୀତଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ ୟାମୀ ହେ ଉପରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ଏକକ, ଦ୍ୱେତ ଓ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।
କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ବିଶେଷତ୍ବ ଉପରେ ଆଧାରିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଉଦଘାଟିତ ହୋଇଥିଲା।
ପ୍ରକାଶଯୋଗ୍ୟ ଯେ, ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଆସନ୍ତା ୧୧ ଜାନୁୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୫ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବରେ ରାଜ୍ୟ, ଦେଶ ଓ ଦେଶ ବାହାରୁ ପ୍ରାୟ ୩୫୦ରୁ ଅଧିକ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ଏକକ, ଦ୍ୱେତ ଓ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ଏହି ସମୟ ମଧ୍ୟରେ ପ୍ରବାସୀ ଭାରତୀୟ ଦିବସ ମଧ୍ୟ ଅନୁଷ୍ଠିତ ହେଉଥିବାରୁ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଅତିଥିମାନେ ମଧ୍ୟ ଏହି ଉତ୍ସବ ମାଧ୍ୟମରେ ଆମ ଗୌରବମୟ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି।
-0-
ଅମ୍ଳାନ ଦାସ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ