ଅତିଥି ଦେବୋ ଭବଃ’ ମନ୍ତ୍ରକୁ ଆଧାର କରି କାର୍ଯ୍ୟ କର: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା
ଭୁବନେଶ୍ୱର, ୦୩/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଭୁବନେଶ୍ଵରସ୍ଥିତ ପାନ୍ଥନିବାସଠାରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡ଼ିସି)ର ୪୫ତମ ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଟିଡ଼ିସି, ଓଡ଼ିଶାକୁ ଏକ ସୁପ୍ରତିଷ୍ଠିତ ବ୍ରାଣ୍ଡ ବୋଲି ଉଲ୍ଲେଖ କରିଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ପାଖେ ଅସୀମ ସୁଯୋଗ ଉପଲବ୍ଧ ଅଛି । ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ଏହାର ପର୍ଯ୍ୟଟନ କ୍ଷେତ୍ର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ସେ ମତବ୍ୟକ୍ତ କରିଥିଲେ । ସମଗ୍ର ଭାରତରେ ଓଡ଼ିଶାକୁ ଏକ ପର୍ଯ୍ୟଟନ ହବ୍ କରିବା ପାଇଁ ଆମ ସମସ୍ତକୁ ଏକଜୁଟ ହୋଇ କାମ କରିବାକୁ ସେ ଆହ୍ଵାନ କରିଛନ୍ତି । ସୁସ୍ୱାଦୁ ଖାଦ୍ୟ, ସ୍ଵଚ୍ଛତା, ପରିମଳ ସହ ଅତ୍ୟାଧୁନିକ ବ୍ୟବସ୍ଥା ଯୋଗାଇ ଦେଇ ଆମେ ପର୍ଯ୍ୟଟକମାନଙ୍କୁ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରିପାରିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମତ ପ୍ରକାଶ କରିଛନ୍ତି ।
ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀ ଭିତ୍ତିଭୂମି ସ୍ଥାପନରେ ନିଗମ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି ବୋଲି ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂ ଉଲ୍ଲେଖ କରିଛନ୍ତି । ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଉଚ୍ଚଶ୍ରେଣୀର ସେବା ଯୋଗାଇ ଦେବା ପାଇଁ ଆମେ ପ୍ରୟାସ ଜାରି ରଖିବୁ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ପର୍ଯ୍ୟଟକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ନିମନ୍ତେ ଏହି ଅବସରରେ ଓଟିଡ଼ିସିର ୧୪ଟି ୟୁନିଟକୁ ପୁରସ୍କୃତ କରାଯାଇଛି । ସର୍ବାଧିକ ବାର୍ଷିକ ଆୟ ପାଇଁ ପୁରୀ ପାନ୍ଥନିବାସ, ଉତ୍ତମ ପର୍ଯ୍ୟଟକ-ଅନୁକୂଳ ୟୁନିଟ୍ ପାଇଁ ଗୋପାଳପୁର ପାନ୍ଥନିବାସ, ଓ ଉତ୍ତମ ପରିବେଶ ପାଇଁ ରାଉରକେଲାକୁ ପୁରସ୍କୃତ କରାଯାଇଛି । ଏହାସହ ଓଟିଡ଼ିସିର ଆତିଥ୍ୟ, ହାଉସକିପିଂ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ବିଭାଗର ଶ୍ରେଷ୍ଠ ୨୨ ଜଣ ଯୋଗ୍ୟ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି ।ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଓଟିଡ଼ିସି ପକ୍ଷରୁ ଏକ ବେକରୀ ଭ୍ୟାନକୁ ଉଦଘାଟନ କରିଥିଲେ ।
ଏହି ଅବସରରେ ଓଟିଡ଼ିସି ଜେନେରାଲ ମ୍ୟାନେଜର ଡ. ଲଲାଟେନ୍ଦୁ ସାହୁ ସ୍ଵାଗତ ଭାଷଣ ଦେବା ସହ ଓଟିଡ଼ିସି କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ବେଣୁଧର ପାତ୍ର କର୍ମଚାରୀମାନଙ୍କ କଲ୍ୟାଣ ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଓଟିଡ଼ିସି ବୋର୍ଡର ନିର୍ଦ୍ଦେଶକମାନଙ୍କ ସହ ଅନ୍ୟାନ୍ୟ ଅଧିକାରୀବୃନ୍ଦ ମାନେ ଉପସ୍ଥିତ ଥିଲେ ।