କେନ୍ଦ୍ରାପଡ଼ା, ୦୮/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାରେ ୭ଟି ନଦୀ ଓ ୨୭ଟି ଉପନଦୀ ରହିଥିବା ବେଳେ ଏଠାରେ ଥିବା ବାଲି ସୈରାତ ନିଲାମ ହୋଇପାରୁନାହିଁ । ମାତ୍ର ଗୋଟିଏ ବାଲି ସୈରାତକୁ ଛାଡି ଦେଲେ ଅନ୍ୟ ସୈରାତ ଗୁଡିକରୁ ଚୋରାରେ ବାଲି ଉଠାଣ ହେଉଛି । ଏହାଦ୍ୱାରା ସରକାର ରାଜସ୍ୱ ହରାଉଛନ୍ତି ବୋଲି ମାଟି ବାଲି ପାଣି ସୁରକ୍ଷା ମଂଚ ପକ୍ଷରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ ପୋଲିସ, ଖଣି ଅଧିକାରୀ ଓ ଦାନପୁର ସରପଂଚଙ୍କ ଉପସ୍ଥିତିରେ ନିଷ୍ପତି ହୋଇଥିଲା ଲୁଣା ନଦୀରୁ ବାଲି ଉଠିପାରିବ ନାହିଁ । କାରଣ ଏହି ଅଂଚଳରେ ନିଷେଧାଦେଶ ବଳବତର ରହିଛି । ହେଲେ ବାଲିମାଫିଆମାନେ ଏହି ସ୍ଥାନରୁ ଚୋରାରେ ମେସିନ ଲଗାଇ ବାଲି ଉଠାଣ କରୁଛନ୍ତି । କେବଳ ଲୁଣାନଦୀ ନୁହେଁ କରାଣ୍ଡିଆ, ବ୍ରାହ୍ମଣୀ, ଚିତ୍ରୋତ୍ପଳା, ବିରୂପା ପ୍ରମୁଖ ନଦୀରୁ ୪୦ରୁ ଅଧିକ ମେସିନ ଦ୍ୱାରା ବାଲି ଚୋରା ଚାଲାଣ ହେଉଛି । ଏହାକୁ ରୋକିବାରେ ଖଣି ଅଧିକାରୀ ସମର୍ଥ ହୋଇପାରୁ ନାହାନ୍ତି । ମାଫିଆମାନେ ଏହି ବାଲିକୁ ବିଭିନ୍ନ ଠିକାଦାରଙ୍କୁ ବିକ୍ରୀକରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏହାକୁ ତୁରନ୍ତ ରୋକିବା ପାଇଁ ମଂଚର ଆବାହକ ବିଧୁଭୂଷଣ ମହାପାତ୍ର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ।