ସଂଯୁକ୍ତ କିଷାନ ମୋର୍ଚ୍ଚା ସମାବେଶ ୧୦ରେ
କେନ୍ଦ୍ରାପଡ଼ା, ୦୮/୦୧/୨୦୨୫ (ଓଡ଼ିଶା ସମାଚାର)- ଭାଗଚାଷୀଙ୍କୁ କ୍ଷତିପୂରଣ, ରାଜ୍ୟବ୍ୟାପୀ ମଣ୍ଡି ଖୋଲିବା ଏବଂ ମୃତ କୃଷକ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜାନୁଆରୀ ୧୦ରେ ରାଜ୍ୟବ୍ୟାପୀ କୃଷକ ଚେତାବନୀ ଦିବସ ପାଳନ ହେବ । କେନ୍ଦ୍ରାପଡାରେ ଏହାକୁ ସଫଳ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରାପଡା ଜିଲା ସମନ୍ୱୟ ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଖଡ଼ିଅଙ୍ଗସ୍ଥିତ ଓଡିଶା କୃଷକସଭା ଜିଲା କାର୍ଯ୍ୟାଳୟରେ ବୁଧୁବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୃଷକ ନେତାମାନେ କହିଥିଲେ ଡ଼ିସେମ୍ବର ଶେଷ ସପ୍ତାହରେ ୨୧ଟି ଜିଲାରେ ଲଘୁରୂପ ଜନିତ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷତି ହୋଇଛି । ଓଡ଼ିଶାରେ ମୁଖ୍ୟ ଫସଲ ଅମଳ ହେବା ପୂର୍ବରୁ ସଂପୂର୍ଣ୍ଣ ନଷ୍ଟ ହୋଇଯିବା ଯୋଗୁଁ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି । ସରକାର ଚାଷୀ ଏବଂ ଭାଗଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପରିବର୍ତେ ଘରୋଇ ବୀମା କମ୍ପାନୀମାନଙ୍କ ଦୟାରେ କ୍ଷତି ଭରଣା ହେବ ବୋଲି ବୟାନ ଦେଇଛନ୍ତି ଯାହା କଟା ଘା’ରେ ଚୂନ ଦେବା ସହ ସମାନ । ଭାଗଚାଷୀମାନଙ୍କୁ କ୍ଷତିପୂରଣ ଦେବା ସମ୍ଭବ ନୁହେଁ ବୋଲି ରାଜ୍ୟ ସରକାର ରୋକଠୋକ୍ ମନା କରିବା ଯୋଗୁଁ ଭାଗଚାଷୀମାନେ ହତାଶ ହୋଇପଡ଼ିଛନ୍ତି । ଏହି ଭୟଙ୍କର ହତାଶ ଭିତରେ ରାଜ୍ୟରେ ୧୪ଜଣ ଓ କେନ୍ଦ୍ରାପଡ଼ା ଜିଲାରେ ୩ଜଣ ଚାଷୀଙ୍କ ଜୀବନ ଦୀପ ଲିଭି ଗଲାଣି । ବର୍ତମାନ ସୁଦ୍ଧା ରାଜ୍ୟରେ ଆବଶ୍ୟକ ଧାନମଣ୍ଡି ନଖୋଲିବା ଯୋଗୁଁ ଚାଷୀ ଏବଂ ଭାଗଚାଷୀମାନେ ଅଭାବୀ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଡ଼ବଲ ଇଞ୍ଜିନ ସରକାର ଚାଷୀଙ୍କ ଏହି ଦୁର୍ଦ୍ଧଶାକୁ ଲାଘବ କରିବାରେ ସଂପୂର୍ଣ ବିଫଳ ହୋଇଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜାନୁଆରୀ ୧୦ ତାରିଖରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ “କୃଷକ ଚେତାବନୀ ଦିବସ’ ବିକ୍ଷୋଭ ଜରିଆରେ ପାଳନ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଧାନ ଫସଲ କ୍ଷତି ପାଇଁ ଏକର ପିଛା ସର୍ବନିମ୍ନ ୨୫,୦୦୦ ଟଙ୍କା, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ ପାଇଁ ଏକର ପିଛା ସର୍ବନିମ୍ନ ୪୦,୦୦୦ଟଙ୍କା କ୍ଷତିପୂରଣ ରାଶି ଦେବାପାଇଁ ମୋର୍ଚ୍ଚା ଦାବି କରିଛି । ସରକାର ପ୍ରଦାନ କରିବା କ୍ଷତିପୂରଣ ରାଶିରୁ ଭାଗଚାଷୀଙ୍କୁ ୭୫% ଏବଂ ଜମି ମାଲିକଙ୍କୁ ୨୫% ଅନୁପାତରେ ବଂଟନ କରାଯାଉ । ମୃତ କୃଷକ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ଋଣଛାଡ଼ ଏବଂ ଉକ୍ତ ପରିବାର ବଂଚିବା ପାଇଁ ଆତ୍ମନିଯୁକ୍ତି ନିମନ୍ତେ ବିନା ସୁଧରେ ନୂତନ ବ୍ୟାଙ୍କ ଋଣ ପ୍ରଦାନ ପାଇଁ ଦାବି ହୋଇଛି । ଜିଲାବ୍ୟାପୀ ଆବଶ୍ୟକତା ଅନୁସାରେ ବ୍ୟବସ୍ଥିତ ମଣ୍ଡି ତୁରନ୍ତ ଖୋଲି ଅଭାବୀ ବିକ୍ରିକୁ ନିୟନ୍ତ୍ରିତ କରିବା ଲାଗି ମୋର୍ଚ୍ଚା ଦାବି କରିଛି । ବୈଷ୍ଣବ ସ୍ୱାଇଁଙ୍କ ସଭାପତିତ୍ୱର ଅନୁଷ୍ଠିତ ବୈଠକରେ ଆବାହକ ଗୟାଧର ଧଳ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମଣୀ ରଞ୍ଜନ ରାଉତରାୟ, ଫକୀର ଖଟୁଆ, ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଜଗତଜୀବନ ଦାଶ, ପ୍ରକାଶ ମହାନ୍ତି, ମାଧବ ଦାସ, ମହେନ୍ଦ୍ର ପଟ୍ଟନାୟକ,ବିଧୂଭୁଷଣ ମହାପାତ୍ର, ନିରଞ୍ଜନ ପରିଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।