ଭୁବନେଶ୍ୱର, ୦୩/୦୯/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସିଏମ୍- କିଷାନ (ରବି ୨୦୨୬-୨୭) ଯୋଜନାର କିସ୍ତି ଶୁକ୍ରବାର ପ୍ରଦାନ କରାଯିବ। ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସହାୟତା ରାଶି ପ୍ରଦାନ କରିବେ।
ଏହି ଯୋଜନା ମାଧ୍ୟମରେ ରାଜ୍ୟର ୪୧ ଲକ୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର, ନାମମାତ୍ର, ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଏବଂ ଭୂମିହୀନ କୃଷକ ପରିବାର ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ। ମୋଟ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ (ଡିବିଟି) ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ପ୍ରଦାନ କରାଯିବ, ଯାହା ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ସହ କୃଷି କାର୍ୟ୍ୟରେ ପ୍ରୋତ୍ସାହିତ କରିବ।
ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେବେ। ଖୋର୍ଦ୍ଧା ରେ ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମରେ ମନ୍ତ୍ରୀ ସୁରେଶ ପୁଜାରୀ, ଢ଼େଙ୍କାନାଳରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର , କଳାହାଣ୍ଡିରେ ମନ୍ତ୍ରୀ ଡ଼କ୍ଟର ମୁକେଶ ମହାଲିଙ୍ଗ, ଗଂଜାମ ରେ ମନ୍ତ୍ରୀ ବିଭୁତି ଭୁଷଣ ଜେନା, କଟକ ରେ ମନ୍ତ୍ରୀ ଡ଼କ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର, କେନ୍ଦୁଝର ରେ ମନ୍ତ୍ରୀ ଗଣେଷରାମ ସିଂ ଖୁଂଟିଆ ଭଦ୍ରକ ରେ ମନ୍ତ୍ରୀ ସୂର୍ଯ୍ୟବଂଶି ସୂରଜ, ଯାଜପୁର ରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ପୁରୀ ରେ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ୍, ଜଗତସିଂହପୁର ରେ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଯୋଗଦେଇ ସିଏମ୍-କିଷାନ କିସ୍ତି ପ୍ରଦାନ କରିବେ।

