ଯାଜପୁର ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଯାଜପୁର,୦୮/୦୧/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ନ ଘ. ୪.୦୦ ମିନିଟ ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତଥା ସାଧାରଣତନ୍ତ୍ର ଦିବସ ପାଳନ କମିଟି ଅଧ୍ୟକ୍ଷା ପି. ଅନ୍ୱେଷା ରେଡ୍ଡୀଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପବିତ୍ର ଗଣତନ୍ତ୍ର ଦିବସକୁ ଶାନ୍ତି, ଶୃଙ୍ଖଳା, ଓ ସମ୍ପ୍ରିତିର ସହ ପାଳନ ନିମିତ୍ତ ଯେଉଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ତାହାକୁ ପ୍ରତ୍ୟେକ ନିଷ୍ଠାର ସହ ପାଳନ ପାଇଁ ଜିଲ୍ଲପାଳ ଶ୍ରୀମତୀ ରେଡ୍ଡୀ ଅନୁରୋଧ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ ଅଧ୍ୟକ୍ଷ ଙ୍କ ଅନୁମତି କ୍ରମେ ବିବରଣୀ ପାଠ କରିଥିଲେ। ପରେ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବ ମାନ ଗୃହୀତ ହୋଇଥିଲା। କୁସୁମା ସମ୍ମୁଖ ପଡିଆ ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ – ୨୦୨୫ ଅନୁଷ୍ଠିତ ହେବ । ଜାନୁୟାରୀ ୨୬ ତାରିଖ ପ୍ରତ୍ୟୁଷ ଘ. ୪.୩୦ ମିନିଟ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ରାମଧୂନ୍ ପରିବେଷଣ କରାଯିବ। ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସକାଳ ଘ. ୬.୩୦ ମିନିଟରେ ପ୍ରଭାତଫେରୀ, ଘ.  ୭.୩୦ ମିନିଟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସକାଳ ଘ. ୮.୩୦ ମିନିଟ ସମୟରେ କୁସୁମା ସମ୍ମୁଖ ପଡିଆ ଠାରେ ଦିବସର ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ ପରିଦର୍ଶନ, ପ୍ୟାରେଡ ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ପ୍ୟାରେଡର ଶ୍ରେଷ୍ଠ ଦଳ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବେ। ପରେ ମୁଖ୍ୟ ଅତିଥି ଡାକ୍ତରଖାନାର ରୋଗୀ ମାନଙ୍କୁ ମାନଙ୍କୁ ଫଳ ବଣ୍ଟନ, ଜେଲର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ, କୁଷ୍ଠାଶ୍ରମରେ ମିଷ୍ଟାନ୍ନ ଏବଂ ବାଳାଶ୍ରମରେ ମିଷ୍ଟାନ୍ନ ବଣ୍ଟନର କାର୍ଯ୍ୟକ୍ରମ ସ୍ଥିର ହେଲା। ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଥମରୁ ମହାବିଦ୍ୟାଳୟ ସ୍ତରର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଓ କୁଇଜ୍ ପ୍ରତିଯୋଗିତା, ଷଷ୍ଠରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଏବଂ ସାଧାରଣ ମହିଳା ଓ ପୁରୁଷ ବିଭାଗରେ କୁଇଜ୍ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା କରାଯିବା ପାଇଁ ସ୍ଥିର କରାଗଲା। ସେହିପରି ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଗଲା। ପ୍ରସ୍ତୁତି ବୈଠକ ର ନିଷ୍ପତି କ୍ରମେ ପ୍ୟାରେଡ ରେ ଅଂଶଗ୍ରହଣ କରିବାକୁ ଇଛୁକ ଥିବା ଶିକ୍ଷାନୁଷ୍ଠାନ ର ପ୍ୟାରେଡ ଦଳ ର ତାଲିକା ଜାନୁଆରୀ ୧୫ ତାରିଖ ସୁଦ୍ଧା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ରେ ବା ଇ -ମେଲ(diprojajpur@gmail.com) ଜରିଆରେ ଦାଖଲ କରିବେ। ଜାନୁଆରୀ ୧୯,୨୦,୨୧ ତାରିଖରେ ପ୍ୟାରେଡ ଦଳ ଚୟନ କରାଯିବ। ଚୂଡାନ୍ତ ଅଭ୍ୟାସ ପ୍ୟାରେଡ ଜାନୁୟାରୀ ୨୨ ଓ ୨୩ ତାରିଖ ଅପରାହ୍ନ ଘ. ୨.୩୦ ମିନିଟ ସମୟ ଓ ୨୪ ତାରିଖ ପୂର୍ବାହ୍ନ ଘ. ୮.୩୦ ମିନିଟ ସମୟରେ କୁସୁମା ସମ୍ମୁଖ ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହେଲା। ଏହି ଜାତୀୟ ଦିବସରେ ପ୍ରତ୍ୟେକ କାର୍ଯ୍ୟାଳୟ ଗୁଡ଼ିକୁ ଆଲୋକ ମାଳାରେ ସଜ୍ଜିତ କରିବାକୁ ପରାମର୍ଶ ଦିଆଗଲା। ସେହିପରି ପ୍ରତ୍ୟେକ ବ୍ୟକ୍ତି ନିଜ ଗୃହକୁ ଉକ୍ତ ଦିନ ଆଲୋକରେ ସଜ୍ଜିତ କରିବାକୁ ଅନୁରୋଧ କରାଗଲା। ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ସେଠୀ,ସହକାରୀ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ, ଯାଜପୁର,ଟାଉନ ଥାନା ଆଇ.ଆଇ.ସି. ଶ୍ରୀ ଶରତ ଚନ୍ଦ୍ର ପାତ୍ର,ଜିଲ୍ଲା ସଂସ୍କୃତି ଅଧିକାରୀ  ସୋନାଲି ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଫକୀର ମୋହନ ଟୁଡୁ, ଅଗ୍ରଣୀ ବ୍ୟାଙ୍କ୍ ପରିଚାଳକ,  ନିର୍ବାହୀ ଅଧିକାରୀ, ପୌର ପରିଷଦ, ଯାଜପୁର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ବିଭିନ୍ନ ବିଭାଗର ଅଧିକାରୀ, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟକ୍ଷ, ଅଧ୍ୟକ୍ଷା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ପରିଶେଷରେ , ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଶ୍ରୀ ନବକ୍ରିଷ୍ଣ ଜେନା ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୁଷ୍ପଲତା ବାରିକ,ପବିତ୍ର ୭୬ ତମ ଯାଜପୁର ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ଶାନ୍ତି, ମୈତ୍ରୀ, ସମ୍ପ୍ରୀତି, ଭାଇଚାରା ଏବଂ ଜାତୀୟ ଏକତା ଓ ସଂହତି ବଜାୟ ରଖି ଆନନ୍ଦ ଉଲ୍ଲାସରେ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *