ଯାଜପୁରରେ ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟିତ।

ଯାଜପୁର, ୦୭/୦୧/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାର କୋରେଇ ବ୍ଲକ୍ ଅନ୍ତର୍ଗତ ପାଣିକୋଇଲି ପ୍ରାଥମିକ କୃଷି ସମବାୟ ସମିତି ଓ ଯାଜପୁର ବ୍ଲକ୍ ଅନ୍ତର୍ଗତ ମାଳଆନନ୍ଦପୁର, ଖାଇରାବାଦ ଓ ପଣସା ପ୍ରାଥମିକ କୃଷି ସମବାୟ ସମିତିରେ ଜିଲ୍ଲାସ୍ତରୀୟ ଧାନମଣ୍ଡି ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତଶିଳ୍ପ, ବୟନଶିଳ୍ପ ଓଡିଶା ସରକାର ଶ୍ରୀ ପ୍ରଦୀପ ବଳ ସାମନ୍ତ ଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ, କୋରେଇ ଶ୍ରୀ ଆକାଶ ଦାସ ନାୟକ,ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ସମବାୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପିତାମ୍ବର ସାମଲ, ଜିଲ୍ଲା ଯୋଗାଣ ଅଧିକାରୀ, ବରିଷ୍ଠ ସହକାରୀ ନିବନ୍ଧକ, ଶ୍ରୀ ଅମୂଲ୍ୟ କୁମାର ସେଠୀ, ଉପ ସହକାରୀ ନିବନ୍ଧକ, ଶ୍ରୀ ଦେବେନ୍ଦ୍ର ନାୟକ, ଅତସୀ କୁସୁମମାଳା, କୋରେଇ ବ୍ଲକ ସମ୍ପ୍ରସାରଣ ଅଧିକାରୀ, ଶ୍ରୀ ପ୍ରଶାନ୍ତ କର, ସମବାୟ ନିରୀକ୍ଷକ ଶ୍ରୀ ପ୍ରଭାତ କୁସୁମ ବାରିକ ଯୋଗଦେଇଥିଲେ। ଏଥିରେ ଧାନ କିଣାରେ ସ୍ୱଚ୍ଛତା ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଅଛି। ଆଡଭାନ୍ସ ପ୍ୟାଡ଼ି କ୍ଲିନର ଓ ସ୍ଵୟଂ ଚାଳିତ ଶସ୍ୟ ନିରୀକ୍ଷଣ ଯନ୍ତ୍ର ତଥା ଏ.ଆଇ ବେସଡ ଆଦ୍ରତା ମାପକ ଯନ୍ତ୍ର ବିଭିନ୍ନ ମଣ୍ଡିରେ ନିୟୋଜନ କରାଯାଇଅଛି। ଆଜି ଶୁଭ ଉଦଘାଟନ ଅବସରରେ ଯାଜପୁର ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଓ ଅନ୍ୟାନ୍ୟ କର୍ମଚାରୀମାନେ ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥି ତଥା ଚାଷୀମାନଙ୍କୁ ଧାନର ମାନ ପରୀକ୍ଷଣ ଯନ୍ତ୍ର ଗୁଡ଼ିକର କାର୍ଯ୍ୟକାରିତା ପ୍ରଦର୍ଶନ କରିଥିଲେ। ପ୍ରକାଶ ଥାଉ କି ଏବର୍ଷ ୫୩,୧୭୯ ଜଣ ପଞ୍ଜିକୃତ ଚାଷୀଙ୍କଠାରୁ ୧୬୨ ଗୋଟି ଧାନ କ୍ରୟ କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ। ଉଚିତ୍ ହାରାହାରି ଗୁଣବତ୍ତା ମାନ (ଏଫ୍.ଏ.କ୍ୟୁ) ର ମାନ ସମ୍ବନ୍ଧରେ ଜିଲ୍ଲା, ବ୍ଲକ୍, ପଞ୍ଚାୟତ ଓ ପ୍ରାଥମିକ କୃଷି ସମବାୟ ସମିତି ସ୍ତରରେ ଚାଷୀମାନଙ୍କୁ ସଚେତନ କରାଯାଇଛି।

ପ୍ରତି ମଣ୍ଡିରେ ଜଣେ ଲେଖାଏଁ ମଣ୍ଡି ନୋଡାଲ ଅଫିସର ଓ ୪ ଓ ୫ ଗୋଟି ପ୍ୟାକ୍ସ ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଜଣେ ମଣ୍ଡି ସୁପରଭାଇଜିଙ୍ଗ ଅଫିସର ନିଯୁକ୍ତି ହୋଇଛନ୍ତି। ମଣ୍ଡି ନୋଡାଲ ଅଫିସରେ ପ୍ରତି ଧାନ ବିକ୍ରୟ କେନ୍ଦ୍ରରେ ଉପସ୍ଥିତ ରହି ଚାଷୀମାନଙ୍କଠାରୁ ଧାନକ୍ରୟ କିପରି ସୁରୁଖୁରୁରେ ଏଫ୍.ଏ.କ୍ୟୁ ଧାନ ବିନା କଟନି ଛଟନିରେ କିଣାଯିବ ଓ ଚାଷୀମାନେ କିପରି ସେମାନଙ୍କର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୪ ରୁ ୭୨ ଘଣ୍ଟା ମଧ୍ୟରେ ପାଇପାରିବେ ସେ ବିଷୟରେ ତଦାରଖ କରିବେ। ଧାନର ଅଭାବୀ ବିକ୍ରି ଯେପରି ନହେବ, ସେଥିପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ ମହୋଦୟ ଓ ଜିଲ୍ଲାପାଳ ସମସ୍ତଙ୍କୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *