ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ।

ଯାଜପୁର, ୦୭/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ଯାଜପୁର  ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଓଡ଼ିଶାର ସମବାୟ, ହସ୍ତଶିଳ୍ପ, ହସ୍ତତନ୍ତ, ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ଓ ଦାନଗଦି ବ୍ଲକ୍ ଅଞ୍ଚଳ ରେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ସମସ୍ୟା ରହୁଛି ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଏହାର ସମାଧାନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଡ଼ୁବୁରୀ- ସୁକିନ୍ଦା ଓଭରବ୍ରିଜ,ଡ଼ୁବୁରୀ – ସୁକିନ୍ଦା ରାସ୍ତା କାମ ଏବଂ ଡ଼ୁବୁରୀ – ଚଣ୍ଡିଖୋଲ ରାସ୍ତାକାମ ଶିଥିଳ ଗତିରେ ଚାଲୁଥିବାରୁ ମନ୍ତ୍ରୀ ଏନ୍.ଏଚ.ଏ.ଆଇ କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧିକାଂଶ ଜାଗାରେ ମେଗା ପାନୀୟଜଳ ପ୍ରକଳ୍ପରେ ପାଣି ଆସୁନାହିଁ। ଖରାଦିନେ ପାନୀୟ ଜଳ ର ସମସ୍ୟା ଅଧିକ ଗୁରୁତର ହେବ। ବେଳଥାଉଁ ଏ ସମସ୍ୟାର ସମାଧାନ ହେବା ଆବଶ୍ୟକ। ଯେଉଁଠାରେ ପାଣିର ସମସ୍ୟା ରହିବ ବୋରିଂ ମାଧ୍ୟମରେ ପାନୀୟଜଳ ଯୋଗାଇବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୁକିନ୍ଦା ଓ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ଜିଲ୍ଲାପାଳ ଏ ଦିଗରେ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇ ସମସ୍ୟା ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି କୃଷି, ଉଦ୍ୟାନ କୃଷି ଓ ମତ୍ସ୍ୟ ବିଭାଗ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ପଥ ପ୍ରାନ୍ତ ନାଟକ, ଚାଷୀ ଶିବିର, ପୋଷ୍ଟର, ବ୍ୟାନର ମାଧ୍ୟମରେ ସଚେତନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଉପସ୍ଥିତ ରହି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ଜନ କଲ୍ୟାଣ ଯୋଜନାର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ରୁରାଲ ହାଉସିଂ , ମହାତ୍ମାଗାନ୍ଧୀ, ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବସୁନ୍ଧରା ଯୋଜନା, ପି.ଏମ ଜନମନ, ସ୍ୱଚ୍ଛ ଭାରତ ମିଶନ, ସ୍ବାସ୍ଥ୍ୟ, ଜଳସେଚନ, ମାଇନର ଇରିଗେସନ୍, ଉଠା ଜଳସେଚନ, ବୃକ୍ଷରୋପଣ, ଜୀବିକା ମିଶନ, ଦକ୍ଷତା ବିକାଶ, ବିଦ୍ୟୁତ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ରେଶମ ଚାଷ, ମମତା ଯୋଜନା, ଅଙ୍ଗନୱାଡ଼ି ଗୃହ ନିର୍ମାଣ, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ଏସ.ସି – ଏସ.ଟି ହଷ୍ଟେଲ, ମୋ ଜଙ୍ଗଲ ଜମି ଯୋଜନା, ଶିଳ୍ପୀ ଉନ୍ନତି ଯୋଜନା, ବୟନଶିଳ୍ପ, ହସ୍ତଶିଳ୍ପ, କ୍ରୀଡା, ପି.ଡି.ଏସ, ଧାନମଣ୍ଡି, ଏମ.ପି – ଏମ.ଏଲ.ଏ ଲ୍ୟାଡ, ପର୍ଯ୍ୟଟନ, ଜଙ୍ଗଲ, ଖଣି, ମାଇନର ମିନେରାଲ, ଓରେଡ଼ା,ନିର୍ମାଣ ଶ୍ରମିକ, ରାସ୍ତା ଓ କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ଜିଲ୍ଲାପାଳ ସ୍ବାଗତ ସୂଚନା ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଉପ ନିର୍ଦ୍ଦେଶକ, ଜିଲ୍ଲା ପ୍ଲାନିଂ ଓ ମନିଟରିଂ ୟୁନିଟ୍ ଅର୍ଚ୍ଚିତା ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *