“କୃଷି ଓ କୃଷକ ଙ୍କ ହିତରେ ସମର୍ପିତ, ପାଣି ପଞ୍ଚାୟତ”
ଭୁବନ ୦୬/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନ କ୍ଷୁଦ୍ର ଜଳ ସେଚନ ଉପ ବିଭାଜନ କାର୍ଯ୍ୟାଳୟ ପରିସରରେ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । କ୍ଷୁଦ୍ର ଜଳ ସେଚନ ବିଭାଜନ ,ଢେ଼ଙ୍କାନାଳ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରଚଳିତ ପାଣି ପଞ୍ଚାୟତ ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘସ୍ଥାୟୀ କରିବାକୁ ଚାଷୀ ଭାଇ ମାନେ ଆପ୍ରାଣ ଉଦ୍ୟମ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ ।
ପାଣି ପଞ୍ଚାୟତ ସର୍ବଦା କୃଷି ଓ କୃଷକ ଙ୍କ ହିତରେ ସମର୍ପିତ ବୋଲି କହିବା ସହ ସେଚାଞ୍ଚଳ ରେ ଥିବା କ୍ଷେତ୍ର ନାଳୀ ଓ ନିଷ୍କାସନ ନାଳୀ ଇତ୍ୟାଦିର ଉତ୍ତମ ରକ୍ଷଣା ବେକ୍ଷଣ ଦ୍ଵାରା ଖରିପ ଋତୁର ବଳକା ଜଳକୁ ସଞ୍ଚୟ କରି ରବି ଋତୁରେ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସହ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ବେହେରା,ଅମ୍ବିକା ପ୍ରସାଦ ସେଠୀ,ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ଦଳେଇ,ଅଶୋକ କୁମାର ମହାପାତ୍ର,ଦିଲ୍ଲୀପ କୁମାର ଦାସ ଯୋଗଦେଇ ପାଣି ପଞ୍ଚାୟତ ର କାର୍ଯ୍ୟକାରିତା,ସେଚାଞ୍ଚଳ ଉନ୍ନୟନ ଓ ସେଚ ପରିଚାଳନା ସମ୍ପର୍କରେ ଚାଷୀ ଭାଇ ମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
