ଯାଜପୁର ଜିଲ୍ଲାରେ ସମବାୟ ସମିତିର ସଦସ୍ୟତା ସମ୍ପ୍ରସାରଣ ପାଇଁ ମେଗା ମେମ୍ବରସିପ୍ ଡ୍ରାଇଭ (MMD) ଅଭିଯାନର ଶୁଭାରମ୍ଭ

ଯାଜପୁର, ୨୫/୦୯/୨୦୨୬ (ଓଡ଼ିଶା ସମାଚାର)-ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ରାଜ୍ୟସ୍ତରରେ ମେଗା ମେମ୍ବରସିପ୍ ଡ୍ରାଇଭ୍ (MMD)ର ଶୁଭାରମ୍ଭ ଅବସରରେ ଯାଜପୁର ଜିଲ୍ଲାସ୍ତରୀୟ MMD କାର୍ଯ୍ୟକ୍ରମ ଆଜି ସକାଳ ୯.୩୦ ମିନିଟ୍‌ ସମୟରେ ଯାଜପୁରସ୍ଥିତ ଜିଲ୍ଲା ପରିଷଦ (DRDA) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ସମବାୟର ବ୍ୟାପକ କାର୍ଯ୍ୟପରିସର ଉପରେ ଆଲୋକପାତ କରିଥିଲେ। ସମବାୟ କେବଳ କୃଷି କ୍ଷେତ୍ରରେ ସୀମିତ ନ ରହି ଟେକ୍ସଟାଇଲ୍‌ ଓ ହ୍ୟାଣ୍ଡଲୁମ୍‌, ମତ୍ସ୍ୟଚାଷ ସମେତ ବିଭିନ୍ନ କ୍ଷେତ୍ର ସହିତ ଜଡ଼ିତ ରହିଛି। ଅଧିକ ସଂଖ୍ୟକ ଲୋକଙ୍କୁ ସମବାୟ ବ୍ୟବସ୍ଥା ସହିତ ଯୋଡ଼ିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଗ୍ରାମାଞ୍ଚଳ ଓ ତୃଣମୂଳ ସ୍ତରର ଲୋକଙ୍କୁ ସମବାୟ ସହିତ ଯୋଡ଼ିବା ପାଇଁ ଆରମ୍ଭ ହୋଇଥିବା ଅନଲାଇନ୍ ମେମ୍ବରସିପ୍ ଡ୍ରାଇଭ୍ ମାଧ୍ୟମରେ ସଦସ୍ୟତା ପ୍ରକ୍ରିୟାକୁ ସରଳ ଓ ସୁବିଧାଜନକ କରାଯିବ। ଏହାସହିତ ସମବାୟର ଉଦ୍ଦେଶ୍ୟ ଓ ସୁବିଧା ସମ୍ପର୍କରେ କୃଷକ ଓ ସାଧାରଣ ଜନତାଙ୍କୁ ସଚେତନ କରାଯିବ।

କୃଷକମାନଙ୍କ ଆୟ ବୃଦ୍ଧି, ସରକାରୀ ସୁବିଧାର ସହଜ ଉପଲବ୍ଧତା ଏବଂ ‘ବିକଶିତ ଓଡ଼ିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ପୂରଣ ଦିଗରେ ସମବାୟ ବ୍ୟବସ୍ଥାର ଭୂମିକାକୁ ଅଧିକ ସୁଦୃଢ଼ କରିବା ଏହି ଅଭିଯାନର ଅନ୍ୟତମ ଉଦ୍ଦେଶ୍ୟ ବୋଲି ସାଂସଦ ଡ. ବେହେରା ପ୍ରକାଶ କରିଥିଲେ।

ଏହି ଅଭିଯାନ ସମ୍ପର୍କିତ ସୂଚନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରେସ୍ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହଯୋଗ କାମନା କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମ ଅବସରରେ ଚଷାଖଣ୍ଡ, ମଙ୍ଗଳପୁର, ଅରେଇ, ମାର୍କଣ୍ଡପୁର, ପଣସା, ମକୁନ୍ଦପୁର, ବଗିରିଆ, ବରୁଣ୍ଡେଇ, ପହଙ୍ଗା ଓ ବରୁଣେଇ ଠାରେ ଥିବା ପ୍ୟାକ୍ସଗୁଡ଼ିକର ଧାନକ୍ରୟ କେନ୍ଦ୍ର ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ (Need Based Infrastructure Project) କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ବର କୁମାର କର, ଉପନିବନ୍ଧକ, ସମବାୟ ସମିତି ସମୂହ, ଶ୍ରୀଯୁକ୍ତ ଅମୂଲ୍ୟ କୁମାର ସେଠୀ, ସହକାରୀ ନିବନ୍ଧକ କୁମାରୀ ପ୍ରତୀକ୍ଷା ମହାପାତ୍ର, ନିୟନ୍ତ୍ରୀତ ବଜାର କମିଟି ସଂପାଦକ କେ.ସି. ନାୟକ, ଉପ ସହକାରୀ ନିବନ୍ଧକ ଦେବେନ୍ଦ୍ର ନାୟକ, ମଣିରଂଜନ ମିଶ୍ର, ରଜତ କୁମାର ପାଣି, କିଶୋର କୁମାର ଦଳାଇ, ପ୍ରଭୁକଲ୍ୟାଣ ମଲ୍ଲିକ, ବିକାଶ କୁମାର ତରାଇ, ଉପବିଭାଗ ଅଧିକାରୀ ଦିଲ୍ଲୀପ କୁମାର ଶତପଥୀ, ସମବାୟ ନିରୀକ୍ଷକ ଦୀପକ କୁମାର ଟୁଡୁ, କନିଷ୍ଠ ସହାୟକ ଅନୁଭବ ପଣ୍ଡା ପ୍ରମୁଖଙ୍କ ସମେତ ଜିଲ୍ଲା ପ୍ରଶାସନର ପ୍ରତିନିଧି, ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ନିୟନ୍ତ୍ରୀତ ବଜାର କମିଟି ଓ ସମବାୟ ବିଭାଗର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *