ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ସିଙ୍ଗାପୁରର ଜିଏଫଟିଏନର ମିଳିତ କର୍ମଶାଳା

ଓଡ଼ିଶାକୁ ଫିନଟେକ୍ ହବରେ ପରିଣତ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ: ମନ୍ତ୍ରୀ ଡ଼ଃ ମହାଲିଙ୍ଗ

ଭୁବନେଶ୍ୱର, ୦୬/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ (ଜିଏଫଟିଏନ) ମିଳିତ ଆନୁକୁଲ୍ୟରେ ଆଜି ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ; ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ; ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ  ଶ୍ରୀ ଶାଶ୍ୱତ ମିଶ୍ର; ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ପଣ୍ଡା; ଓଡିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ରର ସିଇଓ ଡା ପ୍ରଦୀପ କୁମାର ରାଉତ ଏବଂ ଜିଏଫଟିଏନର ବରିଷ୍ଠ ପ୍ରତିନିଧୀମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ।

ଓଡ଼ିଶା ଏକ ଅପାର ସମ୍ଭାବନା ଥିବା ରାଜ୍ୟ ଏବଂ ଏହାକୁ ଦେଶର ଏକ ପ୍ରମୁଖ ଫିନଟେକ୍ ହବରେ ପରିଣତ କରିବାକୁ ସରକାର ପ୍ରତିବଦ୍ଧ। କମ୍ପାନୀମାନଙ୍କୁ ପ୍ରୋତ୍ସାହିତ କରି ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଉଦାର ନୀତି ପ୍ରଣୟନ କରୁଛନ୍ତି ତାସହିତ ଏହି କ୍ଷେତ୍ରର ଆବଶ୍ୟକୀୟ ମାନବ ସମ୍ବଳ ଓଡ଼ିଶାରେ ଉପଲବ୍ଧ ବୋଲି  ମନ୍ତ୍ରୀ ଡ଼ଃ ମହାଲିଙ୍ଗ ପ୍ରକାଶ କରିଛନ୍ତି ।

ଓଡ଼ିଶା ଆଇଟି କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେଉଛି ଏବଂ ସମ୍ପ୍ରତି ତାର ସେବା କ୍ଷେତ୍ରକୁ ପରିବ୍ୟାପ୍ତ କରୁଛି । ନବସୃଜନଙ୍କୁ ପ୍ରୋତ୍ସାହିତ ଏବଂ ଷ୍ଟାର୍ଟଅପମାନଙ୍କୁ ଉତ୍ସାହିତ କରି ରାଜ୍ୟ ଫିନଟେକ୍ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ଯାଉଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଦେବ ଉଲ୍ଲେଖ କରିଛନ୍ତି ।

ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ବଢାଇବା ପାଇଁ ରାଜ୍ୟ ସରକାର ନେଇଥିବା ବିବିଧ ପଦକ୍ଷେପ ଉପରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ  ଶ୍ରୀ ମିଶ୍ର ଆଲୋକପାତ କରିଥିଲେ । ଆର୍ଥିକ ଅନ୍ତର୍ଭୂକ୍ତିକରଣ ଓଡିଶା ସରକାରଙ୍କ ବିକାଶ ଏଜେଣ୍ଡାର ମୂଳଦୁଆ ପାଲଟିଛି ଏବଂ ଏହି ଲକ୍ଷ୍ୟ ହାସଲ କରିବାରେ  ସୁଦୃଢ ଫିନଟେକ୍ ଇକୋସିଷ୍ଟମ୍ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

କର୍ମଶାଳାରେ ଜିଏଫଟିଏନର ପ୍ରତିନିଧୀମାନେ ଓଡିଶାରେ ଇନସୁରଟେକ୍ ହବ୍ ପ୍ରତିଷ୍ଠା ଏବଂ ତାହାର ସମୃଦ୍ଧି ପାଇଁ ପ୍ରସ୍ତୁତ କରିଥିବା ଯୋଜନା ଉପସ୍ଥାପନ କରିଥିଲେ । ଏହି ହବ୍ ଏକ ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ଭାବରେ କାର୍ଯ୍ୟ କରିବ ଏବଂ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଇନସୁରଟେକ୍ ଶିଳ୍ପର ଅଭିବୃଦ୍ଧିକୁ ସକ୍ଷମ କରିବ ବୋଲି ସେମାନେ କହିଥିଲେ  ।

ଏହି ଆଲୋଚନାରେ ଓଡିଶା କିପରି  ଏକ ଅଗ୍ରଣୀ ଫିନଟେକ୍ ଏବଂ ଇନସୁରଟେକ୍ ହବ୍ ଭାବରେ ଉଭା ହୋଇପାରିବ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଅଂଶଗ୍ରହଣକାରୀମାନେ ଫିନଟେକ୍ ଏବଂ ଇନସୁରଟେକ୍ ସେକ୍ଟରରେ ଉନ୍ନତି ଆଣିବା, ପାଣ୍ଠି ଆକର୍ଷିତ କରିବା ପାଇଁ ଭେଞ୍ଚର କାପିଟାଲ ଇକୋସିଷ୍ଟମକୁ ସୁଦୃଢ କରିବା ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ବିଷଦ ଆଲୋଚନା କରିଥିଲେ ।

ସିଙ୍ଗାପୁର ଏକ ବିଶ୍ୱସ୍ତରୀୟ ଫିନଟେକ୍ ହବ୍ ଭାବରେ ଉଭା ହୋଇଛି ଏବଂ ଜିଏଫଟିଏନର ସମୁଚିତ ସହଯୋଗ ରାଜ୍ୟର ଫିନଟେକ୍ ଇକୋସିଷ୍ଟମ ବିକାଶରେ ସହାୟକ ହେବ । ଏ ବାବଦରେ ରାଜ୍ୟ ସରକାର ବେଶ ଆଶାବାଦୀ ଅଛନ୍ତି । ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫  ସମୟରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଏକ ଉତ୍ସର୍ଗୀକୃତ ଫିନଟେକ୍ ପଲିସି ଉନ୍ମୋଚନ କରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

-0-

ସୌରଭ ପ୍ରଧାନ,  ଲୋକ ସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *