ଭୁବନେଶ୍ୱର,୦୯/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ବନ୍ଧକ ଶ୍ରମ ପ୍ରଥା(ଉଚ୍ଛେଦ) ଆଇନ ୧୯୭୬ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁରକ୍ଷା ମଂଚ ତରଫରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ରିସର୍ଚ୍ଚ ସେଣ୍ଟର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି । ରାଜ୍ୟ ସ୍ତରୀୟ ସୁରକ୍ଷା ମଂଚ ର ଆବାହକ ଡ. ଅମୀୟ ଭୂଷଣ ବିଶ୍ୱାଳ ଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହ ଉତ୍ସବରେ ବରିଷ୍ଠ ପ୍ରଶାସକ ତଥା ବନ୍ଧକ ଶ୍ରମିକ ଗବେଷକ ଡ଼. ଲକ୍ଷ୍ମୀଧର ମିଶ୍ର ଯୋଗ ଦେଇ ଏହି ଘୃନ୍ୟ ପ୍ରଥା ର ଅବସାନ ପାଇଁ ରାଜ୍ୟ ବ୍ୟାପି ସର୍ଭେ ମାଧ୍ୟମରେ ଚିହ୍ନଟି କରଣ, ଉଦ୍ଧାର ଓ ଥଇଥାନ ବ୍ୟବସ୍ତା କୁ ତ୍ଵରାନିତ୍ଵ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏଥି ସହିତ ପ୍ରଚଳିତ ଆଇନ ରପ୍ରଭାବୀ କ୍ରିୟାନ୍ୱୟନ ପାଇଁ ତଥା ଇପ୍ସିତ ଲକ୍ଷ୍ୟ ହାସଲ କରିବା ପାଇଁ ସରକାର ଙ୍କ ଦୃଢ ଇଛାଶକ୍ତି ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଏହି ବୈଠକର ଅନ୍ୟତମ ଅତିଥି ତଥା ପୂର୍ବତନ ପ୍ରଶାସକ ଶ୍ରୀ ଅରବିନ୍ଦ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବନ୍ଧକ ଶ୍ରମ ପ୍ରଥା(ଉଚ୍ଛେଦ) ଆଇନ କୁ ପ୍ରଭାବୀ ଢଙ୍ଗରେ କାର୍ୟ୍ୟକାରୀ କରିବାସହ ଝଙଚ ଓ ଷ୍ଟେଟ ଆକ୍ସନ ପ୍ଲାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାରେ ଏହି ବନ୍ଧକ ଶ୍ରମିକ ପ୍ରଥା ନିଜର ରୂପ ବଦଳାଇ ଶୋଷଣ ର ଆଧୁନିକ ମାଧ୍ୟମ ପାଲଟି ଥିବାରୁ ଏ ଦିଗରେ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ ।
ଅନ୍ୟତମ ବକ୍ତା ବରିଷ୍ଠ ସମାଜସେବୀ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ସାମାଜିକ ସଂଗଠନ ମାନେ ତୃଣମୂଳ ସ୍ତରରେ ବନ୍ଧକ ଶ୍ରମିକ ମାନଙ୍କୁ ଚିହ୍ନଟ କରିବା ସହିତ ନିକଟସ୍ଥ ସରକାରୀ କର୍ମଚାରୀ ଓ ଥାନା ରେ ଜଣାଇବାକୁ ଆହ୍ୱାନ ଦେଇଥିଲେ ।

ଏହି କାର୍ୟ୍ୟକ୍ରମରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ବରିଷ୍ଠ ସଦସ୍ୟା ସୁଜାତା ନାୟକ ଶିଶୁ ବନ୍ଧକ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ପ୍ରକ୍ରିୟା କୁ ତ୍ଵରାନିତ୍ଵ କରିବାକୁ ସରକାର ପ୍ରାଥମିକତା ର ସହିତ ଗୁରୁତ୍ୱ ଦେଉଛନ୍ତି ବୋଲି ବକ୍ତବ୍ୟ ଛଳ ରେ ପ୍ରକାଶ କରିଥିଲେ । ଏହି କାର୍ୟ୍ୟକ୍ରମ ରେ ଆଇନଜୀବୀ ପ୍ରମୋଦ କିଶୋର ଆଚାର୍ୟ୍ୟ, ଆଇନଜୀବୀ ଧୀରେନ୍ଦ୍ର ନାଥ ପାତ୍ର , ଅବସରପ୍ରାପ୍ତ ଶ୍ରମ ଅଧିକାରୀ ନୀଳାମ୍ବର ମିଶାଲ , ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ, ଅବସରପ୍ରାପ୍ତ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଅବସରପ୍ରାପ୍ତ ପ୍ରଶାସକ ମହେଶ୍ୱର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକା ରାକ୍ଷୀ ଘୋଷ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ମଧୁମିତା ପୃଷ୍ଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଯୋଗଦେଇ ବନ୍ଧକ ଶ୍ରମ ପ୍ରଥା(ଉଚ୍ଛେଦ) ଆଇନ ର ସଫଳ କ୍ରିୟାନ୍ୱୟନ ଉପରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ଏହି କାର୍ୟ୍ୟକ୍ରମରେ ବନ୍ଧକ ଶ୍ରମ ମୁକ୍ତ ଶ୍ରମିକ ମାନଙ୍କ ର ରାଜ୍ୟ ସ୍ତରୀୟ ସଂଗଠନ ଶ୍ରମ ବାହିନୀ ର ସମ୍ପାଦିକା ରଂଜିତା ରଣା ଙ୍କ ନେତୃତ୍ୱରେ ୪୦ ରୁ ଉର୍ଧ ବନ୍ଧକ ମୁକ୍ତ ଶ୍ରମିକ ଯୋଗ ଦେଇଥିଲେ ଜ୍ଝ ସୁଶ୍ରୀ ସ୍ୱାଧୀନତା ତାଣ୍ଡି ଓ ପୁର୍ଣ୍ୟବତୀ କେତକୀ ନିଜର ଦୁର୍ଦଶା ଓ ସେଥିରୁ ମୁକ୍ତି ପାଇବାର ପ୍ରକ୍ରିୟାକୁ ସର୍ବ ସାଧାରଣରେ ପ୍ରକାଶ କରି ଉପସ୍ଥିତ ଜନସାଧାରଣଙ୍କୁ ଭାବପ୍ରବଣ କରିଦେଇଥିଲେ ।
ସୁରକ୍ଷା ମଞ୍ଚର ରାଜ୍ୟ ସ୍ତରୀୟ ସମନ୍ୱୟ ସମିତିର ସଭ୍ୟ ଶ୍ରୀ ଲୋକନାଥ ମିଶ୍ର, ଶ୍ରୀ ସୁଦର୍ଶନ ଛୋଟରାୟ, ଶ୍ରୀ ଦିଲ୍ଲୀପ କୁମାର ଦାସ, ଶ୍ରୀ ଆଶିଷ କୁମାର ରାଜହଂସ ଓ ଶ୍ରୀ ଉଦୟନାଥ ବେହେରା ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ ପୂର୍ବକ ଆଗାମୀ ଦିନପାଇଁ କାର୍ୟ୍ୟ ଖସଡ଼ା ପ୍ରସ୍ତୁତି କରିଥିଲେ । ଏହି କାର୍ୟ୍ୟକ୍ରମରେ ରାଜ୍ୟ ର ସବୁ ଜିଲ୍ଲା ରୁ ୨୦୦ ରୁ ଉର୍ଧ ସାମାଜିକ ସଂଗଠନ ର ପ୍ରତିନିଧି, ବୁଦ୍ଧିଜୀବୀ, ଆଇନଜୀବୀ, ଗବେଷକ ଯୋଗଦାନ କରିଥିଲେ । ଏହି କାର୍ୟ୍ୟକ୍ରମ କୁ ଇଣ୍ଟର ନାସନାଲ ଜଷ୍ଟିସ ମିଶନ ର ରାଜ୍ୟ ମୁଖ୍ୟ ଶ୍ରୀ ଜୟନ୍ତ କୁମାର ନାଗ ଙ୍କ ନେତୃତ୍ୱରେ ଶ୍ରୀ ବିକାଶ ପାତ୍ର ସଂଯୋଜନା କରିଥିଲାବେଳେ ଇଂ ଅନୱୟ ଅଭିନବ ମଂଚ ପରିଚାଳନା କରିଥିଲେ ।
