ଯାଜପୁର ,୦୪/୦୧/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ପାଣିକୋଇଲିରେ ଆଜି ଏକ ସୁନା ଦୋକାନରେ (ପଣ୍ଡା ଅଳଙ୍କାର) ଲୁଟ ସମୟରେ ଗୁଳିମାଡ ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଯାଜପୁରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଅଣାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକମାନେ ହେଲେ ଗହଣା ଦୋକାନ କର୍ମଚାରୀ ସୁନୀଲ ରାୟ ଓ ଯାଜପୁରର ଜଣେ ଇଲେକ୍ଟ୍ରିସିଆନ୍ ନୀଳମାଧବ ପଣ୍ଡା । ଲୁଟେରାଙ୍କୁ କାବୁ କରିବାକୁ ଯାଇ ନୀଳମାଧବ ଗୁଳି ଖାଇଲେ।
ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧ଟା ସମୟରେ ୪ରୁ ୫ ଜଣ ଦୁର୍ବୁତ୍ତ ଯାଜପୁର ପାଣିକୋଇଲି ସ୍ଥିତ ଏକ ସୁନା ଦୋକାନରେ ଲୁଟ ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ। ସେହି ସମୟରେ ସୁନା ଦୋକାନ କର୍ମଚାରୀମାନେ ପଇସା ନେଇ ବ୍ୟାଙ୍କକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। କର୍ମଚାରୀମାନେ ଦୁର୍ବୁତ୍ତ ମାନଙ୍କୁ ବାଧା ଦେଇଥିଲେ। ସେହି ସମୟରେ ଅନ୍ୟ ଦୋକାନୀ ଓ ସେଠାରେ ଉପସ୍ଥିତ ଲୋକମାନେ ପଳାଇ ଆସିବାରୁ ଦୁର୍ବୁତ୍ତ ମାନେ ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ। ପ୍ରାୟ ୬ ରାଉଣ୍ଡ ଗୁଳିମାଡ କରାଯାଇଥିବା ସେଠାରେ ଉପସ୍ଥିତ ଲୋକମାନେ କହିଛନ୍ତି।
ଘଟଣାରେ ଜଣଙ୍କ ପେଟ ଓ ଅନ୍ୟ ଜଣକ ଛାତି ଓ ଅନ୍ୟ ଜଣଙ୍କର ଅଂଟାରେ ଗୁଳି ବାଜିଥିଲା। ସୂଚନା ମୁତାବକ ପେଟ ଓ ଛାତିରେ ଗୁଳି ବାଜିଥିବା ୨ ଜଣ ଙ୍କର ମୃତ୍ୟୁ ହୋଇଛି। ଅନ୍ୟ ପକ୍ଷରେ ସ୍ଥାନୀୟ ଲୋକେ ୨ ଜଣ ଦୁର୍ବୁତ୍ତଙ୍କୁ ଅଟକ ରଖିଛନ୍ତି। ଅନ୍ୟ ଜଣେ ଦୁର୍ବୁତ୍ତ ଯିଏ ଗୁଳି ଚଳାଇଥିଲେ, ତାଙ୍କୁ ସ୍ଥାନୀୟ ଲୋକମାନେ ନିର୍ଦ୍ଧୁମ ପିଟିବା ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିବା ସୂଚନା ମିଳିଛି। ଏବେ ମଧ୍ୟ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଲୁଟେରାଙ୍କ ନିକଟରୁ ଲୁଟ୍ ଗହଣା ଜବତ ହୋଇଛି।