ନବରଙ୍ଗପୁର, ୨୫/୧୧/୨୦୨୩ (ଓଡ଼ିଶା ସମାଚାର)- ନବରଙ୍ଗପୁର ଜିଲ୍ଲାରେ ଚାଞ୍ଚଲ୍ୟ। ଜଣେ ଯୁବତୀଙ୍କୁ ମାରିଦେବା ପରେ ପ୍ରମାଣ ନଷ୍ଟ କରିବାକୁ ୩୨ ଖଣ୍ଡ କରି କାଟି ପୋତିଦେଇଛି ଅଭିଯୁକ୍ତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ । ମାଟି ତଳେ ଯୁବତୀଙ୍କ ମୃତଦେହ ଠାବ ହେବା ପରେ ପୁଲିସ ଜୋରଦାର ତଦନ୍ତ ଚଳାଇଛି । ଏହି ଘଟଣା ରେ ସମ୍ପୂର୍କ୍ତି ଥିବା ସନ୍ଦେହରେ ମୁରମଡିହି ଗ୍ରାମର ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀଙ୍କୁ ରାଇଘର ପୁଲିସ୍ ଅଟକ ରଖିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ଛାନଭିନ କରିଛି । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ସ୍ଥାନୀୟ ତିଲାବାଇ ଗଣ୍ଡ । ଗତ ତିନି ଦିନ ହେବ ସେ ନିଖୋଜ ଥିଲେ । ଆଜି ଜଙ୍ଗଲରୁ ମାଟିତଳୁ ତାଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ରାଇଘର ଥାନା ବାଘବେଡ଼ା ଗ୍ରାମର ଲୁଦୁରାମ ଗଣ୍ଡଙ୍କ ଝିଅ ତିଲାବାଈ ୨ ବର୍ଷ ହେଲା ମୁରୁମଡ଼ିହି ଗ୍ରାମର ଚନ୍ଦ୍ର ରାଉତ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଆଉ ରମେଶ ମଧ୍ୟ ବିବାହିତ ଥିଲେ। ଏହାପରେ ବି ଉଭୟ ଭଲ ପାଇବା ସହ ମମ୍ପର୍କ ରଖିଥିଲେ। ତେବେ ଗତ ବୁଧବାର ତିଲାବାଈ ଗଣ୍ଡ ପ୍ରେମିକ ଚନ୍ଦ୍ର ରାଉତଙ୍କ ଘରକୁ ଯାଇ ସ୍ତ୍ରୀର ଅଧିକାର ଦାବି କରିଥିଲେ। ଆଉ ଏହାପରେ ଚନ୍ଦ୍ର ରାଉତ ଓ ତାର ସ୍ତ୍ରୀ ମିଶି ତିଲାବାଈକୁ ମାରିଦେଇଥିଲେ। ମାରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ତାକୁ ଘର ନିକଟରେ ଥିବା ଜଙ୍ଗଲକୁ ନେଇ ୩୨ ଖଣ୍ଡ କରି କାଟିବା ପରେ ମୂଷା ଗାତରେ ପୋତି ଦେଇଥିଲେ। ତେବେ ଗତ ବୁଧବାରଠୁ ତିଲାବାଇ ଗଣ୍ଡ ନିଖୋଜ ଥିବା ବେଳେ ପରିବାର ଲୋକ ତାର ଖୋଜ୍ ଖବର ପାଉନଥିଲେ। ଆଜି ସକାଳୁ ମୁରୁମଡିହି ଗାଁର ଜଣେ ଯୁବକ ଜଙ୍ଗଲକୁ ଯାଇଥିବା ବେଳେ ତେନ୍ତୁଳି ଗଛ ମୂଳେ ରକ୍ତଛିଡ଼ା ପଡ଼ିଥିବା ଦେଖି ଗାଁର ଲୋକଙ୍କୁ ସୂଚନା ଦେଇଥିଲେ। ପରେ ଗାଁ ଲୋକେ ଘଟଣାସ୍ଥଳକୁ ଯାଇ ମୃତହେଦର କିଛି ଅଂଶ ଏକ ଗାତରେ ପଡ଼ିଥିବା ଜାଣିପାରିଥିଲେ। ଏହି ଖବର ଚାରିଆଡେ ପ୍ରଚାର ହେବାପରେ ବାଘବେଡ଼ା ଗ୍ରାମର ଲୁଦୁରାମ ଗଣ୍ଡ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତହେଦ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଲୁଦୁରାମ ଗଣ୍ଡଙ୍କ ଅଭିଯୋଗ ଆଧାରରେ ପୁଲିସ ଚନ୍ଦ୍ର ରାଉତ ଓ ତାର ସ୍ତ୍ରୀକୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାଟି ଚାଂଚଲ୍ୟ ଖେଳାଇ ଦେଇଛି ।
ଯୁବତୀଙ୍କୁ ହତ୍ୟା କରି ୩୨ ଖଣ୍ଡ କରି କାଟି ପୋତି ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତ ର ଉଦ୍ୟମ , ଦମ୍ପତି ଅଟକ
