କୃଷି କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଚିରନ୍ତନ କୃଷି ହିଁ ସମୟର ଆହ୍ୱାନ

ଭୁବନେଶ୍ୱର,୦୪/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କୃଷି କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ । ପରିବର୍ତ୍ତିତ ସମୟ ସହ ତାଳ ଦେଇ ମହିଳା ମାନେ ବିଭିନ୍ନ ଦାୟିତ୍ୱ କାନ୍ଧକୁ ନେବା ସହ ପାରଦର୍ଶିତା ଲାଭ କରୁଥବା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି । କୃଷି ଓଡିଶା-୨୦୨୫ ଦ୍ଵିତୀୟ ଦିବସର ଶେଷ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପରିଡା କହିଲେ ଯେ କୃଷି କ୍ଷେତ୍ରରେ ପୂର୍ବରୁ ମହିଳା ମାନେ ସହଯୋଗ କରୁଥିଲେ ମଧ୍ୟ ସେମାନଙ୍କ ଭୂମିକାକୁ ଏକପ୍ରକାର ଅଣଦେଖା କରାଯାଉଥିବା ବେଳେ ବର୍ତ୍ତମାନ ମାନସିକତାରେ ପରିବର୍ତ୍ତନ ସହ ରାଜ୍ୟ ସରକାର ମହିଳା ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ସେ କହିଥିଲେ । କୃଷିର ବିଭିନ୍ନ କ୍ଷେତ୍ରରେ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ଅନ୍ୟପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି । ରାଜ୍ୟର ମାଣ୍ଡିଆ ରାଣୀ ରାଇମତୀଙ୍କୁ ପ୍ରଶଂସା କରିବା ସହ ଆଜିର ସମୟରେ ମହିଳା ମାନଙ୍କ ଇଚ୍ଛା ଶକ୍ତି ସେମାନଙ୍କ ପାଇଁ ସଫଳତା ଆଣି ଦେଉଛି ବୋଲି ସେ ଉଲ୍ଲେଖ କରିଥିଲେ ।

ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଲେ ଯେ, କୃଷକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବାସହ ଚାଷୀମାନଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି । ଗୋପାଳନ ଠାରୁ ଆରମ୍ଭ କରି ରାଜ୍ୟରେ ପ୍ରାଣିସମ୍ପଦର ବିକାଶ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି । ଆଗାମୀ ୨୦୩୬ ମସିହାରେ ବିକଶିତ ଓଡିଶା ଗଠନ ପାଇଁ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଅନ୍ୟତମ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷିକୁ ଚିରନ୍ତନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାକୃତିକ ସମ୍ବଳର ଅଭାବ, ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଅନେକ ଫସଲ ଉତ୍ପାଦନ ହ୍ରାସ ପାଉଥିବା ନେଇ ସେ ମତବ୍ୟକ୍ତ କରିଥିଲେ । ଜୈବିକ ପଦ୍ଧତିରେ ଚିରନ୍ତନ କୃଷି ସମ୍ଭବ ହେବ ବୋଲି ସେ କହିଥିଲେ ।

ଏହି ଅବସରରେ କେତକ ସଫଳ ଚାଷୀ ଓ ମହିଳା ସ୍ୱୟଂ ସହାୟିକା ସଂଗଠନକୁ ପୁରସ୍କୃତ କରାଯାଇଥିଲା । ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ଓ ପ୍ରାଣୀସମ୍ପଦ ନିର୍ଦ୍ଦେଶକ ସିଦ୍ଦିକ ଆଲାମ ଧନ୍ୟବାଦ ଅର୍ପଣ କରିଥିଲେ।

-0-

ସୁଶ୍ରୀ ସଙ୍ଗୀତା ମହାରଣା,ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *