ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମ୍‌ପତି

ଭୁବନେଶ୍ୱର,୦୩/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ହରିବାବୁ କମ୍ଭମ୍‌ପତି ଶୁକ୍ରବାର ଶପଥ ନେଇଛନ୍ତି । ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ସେ ଆଜି ଶପଥ ନେଇଛନ୍ତି। ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧର ଶରଣ ସିଂହ ଆଜି ପୂର୍ବାହ୍ନ ୧୦ଟା୧୦ ମିନିଟ୍‌ରେ ହରିବାବୁ କମ୍ଭମ୍‌ପତିଙ୍କୁ ଶପଥ ପାଠ କରାଇଛନ୍ତି ।

ରାଜଭବନରେ ଆୟୋଜିତ ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକବର୍ଦ୍ଧନ ସିଂ ଦେଓ,ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବାଚସ୍ପତି ସୁରମା ପାଢ଼ୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୪ରେ ଓଡ଼ିଶାର ରାଜ୍ୟପାଳ ଭାବରେ ହରିବାବୁ କମ୍ଭମ୍‌ପତିଙ୍କୁ ନିଯୁକ୍ତି ମିଳିଥିଲା। ଗତକାଲି ହରିବାବୁ ଓ ତାଙ୍କ ପରିବାର ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ । ତାପରେ  ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ।

Leave a Reply

Your email address will not be published. Required fields are marked *