ଯାଜପୁରଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ।

ଯାଜପୁର,୦୩/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ସ୍ଥାନୀୟ ଇନଡୋର ଷ୍ଟାଡିୟମ ପରିସରରେ ଜଳସମ୍ପଦ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଲେ ଜିଲ୍ଲାରେ ସମସ୍ତ ପାଣି ପଞ୍ଚାୟତରେ ପକ୍ଷ ପାଳନ କରାଯାଇଛି। ପାଣି ପଞ୍ଚାୟତକୁ ଅଧିକ କ୍ରିୟାଶୀଳ କରି ଜଳସେଚନ ସମୟରେ କେନାଲର ଶେଷ ମୁଣ୍ଡରେ ଥିବା ଚାଷ ଜମିକୁ ବିନା ବାଧାରେ ଜଳ ଯୋଗାଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜଳସେଚନ ବ୍ୟବସ୍ଥାର ଭିତ୍ତିଭୂମି ବିକାଶ, ରକ୍ଷଣା ବେକ୍ଷଣ ଓ ପରିଚାଳନାରେ ଭାଗିଦାରୀ ଏବଂ ସମସ୍ତ ଚାଷୀଙ୍କୁ ସୁଷମ ତଥା ନିର୍ଭରଯୋଗ୍ୟ ଜଳ ବଣ୍ଟନ ପାଣି ପଞ୍ଚାୟତର ମୁଖ୍ୟ ଉଦ୍ଦେଶ୍ୟ, ଚାଷୀମାନେ କିପରି ଭଲ ଫସଲ ଆମଦାନୀ କରିପାରିବେ, ଧାନ ସହିତ ଅଣଧାନ ଚାଷ, ଉଚ୍ଚ ମୂଲ୍ୟ ଯୁକ୍ତ ଫସଲ ଉତ୍ପାଦନ କରିପାରିବେ। ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ,  ଇଷ୍ଟର୍ଣ୍ଣ ସର୍କଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥିମାନେ ଯୋଗଦେଇ ମୁଖ୍ୟ ଯନ୍ତ୍ରୀ ଜାଇକା ପ୍ରକଳ୍ପ, ବ୍ରାହ୍ମଣୀ ବାମପର୍ଶ୍ଵ କେନାଲ, ସୁକିନ୍ଦା ଶ୍ରୀ ଶ୍ୱେତ କୁମାର ଜାଲି କହିଲେ ପାଣି ପଞ୍ଚାୟତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷି ଓ କୃଷକର ସମୃଦ୍ଧି। ପାଣି, ଚାଷ, ପରିବେଶ ଓ ପାଗକୁ ନେଇ ଚାଷୀ କିପରି ସଚେତନ ହେବ। ଚାଷ ଉତ୍ପାଦନରୁ ତାର କିପରି ଆର୍ଥିକ ଉନ୍ନତି ହେବ ଏବଂ ଯାହା ସମସ୍ୟା ରହିଛି ତାର କେମିତି ସମାଧାନ ହୋଇପାରିବ। ଏହି ଉତ୍ସବରେ ଅଧିକ୍ଷଣ ଯନ୍ତ୍ରୀ ଜାଇକା ଜଳସେଚନ ବିଭାଜନ କାମଦେବ ଦାସ, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ସୁବ୍ରତ କୁମାର ପାଣିଗ୍ରାହୀ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି ରାଧେଶ୍ୟାମ ବେହେରା, ଅଧିକ୍ଷଣ ଯନ୍ତ୍ରୀ, ଯାଜପୁର ଶରତ ଚନ୍ଦ୍ର ଘଡେ଼ଇ, ସହକାରୀ କୃଷି ଅଧିକାରୀ ମନୋଜ କୁମାର ରାଉତ, ଅତିରିକ୍ତ ମୁଖ୍ୟ ଜାଇକା ମୃତ୍ୟୁଞ୍ଜୟ ସେଠୀ, ପ୍ରଣବ କୁମାର ନାୟକ ଯୋଗଦେଇ ପାଣି ପଞ୍ଚାୟତ ଗଠନର ଉଦ୍ଦେଶ୍ୟ ପରିଚାଳନା, ଭବିଷ୍ୟତରେ ଏହାର ସଫଳ ରୂପାୟନ ତଥା ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗ ଯଥା କୃଷି, ପଶୁପାଳନ, ମତ୍ସ୍ୟ, ଉଦ୍ୟାନ ବିଭାଗ ଇତ୍ୟାଦିର ବିଭିନ୍ନ ସରକାରୀ ଯୋଜନାର ସୁଫଳ କିଭଳି ସାଧାରଣ ଚାଷୀ ପାଖରେ ପହଞ୍ଚି ପାରିବ ତାଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଉତ୍ସବରେ ସଫଳ ଚାଷୀ ସୁଢ଼ଳ ଚରଣ ସାହୁ, ଅଭିରାମ ପଲେଇ, ରାମଚନ୍ଦ୍ର ଦାସଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ସ୍ତରୀୟ ବକ୍ତୃତା, ପ୍ରବନ୍ଧ, କୁଇଜ୍, ଚିତ୍ରାଙ୍କନ, ଆଦର୍ଶ ପ୍ରଦର୍ଶନୀର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମା କାଳୀ ପଞ୍ଚାୟତ କୁ ଶ୍ରେଷ୍ଠ ପାଣି ପଞ୍ଚାୟତ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ଚାଷୀ, ଜନସାଧାରଣ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ମାନେ ପାଣି ପଞ୍ଚାୟତ ଶପଥ ପାଠ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରାଯାଇଥିଲା।

Leave a Reply

Your email address will not be published. Required fields are marked *