ଅନୁଗୁଳ,୦୩/୦୧/୨୦୨୫ (ଓଡ଼ିଶା ସମାଚାର)- ଅନୁଗୋଳ ଜିଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ଶୋଇଥିବା ବେଳେ ଭଉଣୀ-ଭାଇଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ୧୧ ବର୍ଷୀୟ ଭାଇ ଓ ୧୫ ବର୍ଷୀୟ ଭଉଣୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି।
ସୂଚନା ଅନୁସାରେ, ପ୍ରଫୁଲ୍ଲ ମିର୍ଧାଙ୍କ ପୁଅ ଓ ଝିଅଙ୍କ ଉପରକୁ ଗୁଳିମାଡ଼ ହୋଇଛି। ୧୧ ବର୍ଷୀୟ ପୁଅ ପ୍ରକାଶ ମିର୍ଧା ଓ ୧୫ ବର୍ଷୀୟା ଯାଜ୍ଞସେନି ମିର୍ଧାଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟ ଭାଇ ଭଉଣୀ ଶୋଇଥିବା ବେଳେ କେହି ସେମାନଙ୍କୁ ଗୁଳି କରିଥିଲେ । ଅବସ୍ଥା ବିଗୁଡୁଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଦୁଇ ଛୋଟ ଭାଇ ଭଉଣୀଙ୍କୁ କାହିଁକି ଗୁଳିମାଡ଼ ହୋଇଛି, ତାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ କିଶୋରନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।