ଡେଲାଙ୍ଗ, ୨୯/୬/୨୦୨୪ (ଓଡ଼ିଶା ସମାଚାର)- ସାନ ଶଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ଶଢୁ । ଏଭଳି ଅଭାବନୀୟ ଘଟଣା ଘଟିଥିବା ଖବର ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ରାମଚନ୍ଦ୍ରପୁର ଗାଁରୁ । ଡେଲାଙ୍ଗ ବଜାରରେ ସାଇକେଲ ରିପ୍ୟାରିଂ ଦୋକାନ କରିଥିବା ନରେନ୍ଦ୍ର ମଲ୍ଲିକ ଙ୍କୁ ତାଙ୍କ ବଡ଼ ଶଢୁ ଦୀପକ କୁମାର ସିଂ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ , ହାଟ ଡେଲାଙ୍ଗ ଲୁଣା ବ୍ରିଜ ଉପରେ ନରେନ୍ଦ୍ରଙ୍କୁ ତାଙ୍କ ବଡ଼ ଶଢ଼ୁ ଦୀପକ କୁମାର ସିଂ ଗୁଳିମାଡ଼ କରିଥିଲା । ଗୁଳିମାଡ଼ ପରେ ନରେନ୍ଦ୍ରଙ୍କୁ ପ୍ରଥମେ ଡେଲାଙ୍ଗ ହସ୍ପିଟାଲ ରେ ଭର୍ତି କରାଯାଇଥିଲା ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ମୃତଦେହ ଗାଁ ରେ ପହଞ୍ଚିବା ପରେ ଉତ୍ତେଜନା ଦେଖା ଦେଇଥିଲା । ପରିବାର ଲୋକଙ୍କ ସହ ଗ୍ରାମବାସୀ ମରଶରୀରକୁ ଧରି ନ୍ୟାୟ ପ୍ରଦାନ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକେ ବିଧବା ପତ୍ନୀ ଓ ଛୋଟ ଶିଶୁକନ୍ୟାର ଥଇଥାନ ଏବଂ ସହାୟତା ଦାବି କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ଏବଂ ବିଧାୟକ ଆଶ୍ରିତ ପଟ୍ଟନାୟକ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନ କରିଥିଲେ । ଶେଷରେ ସହାୟତାର ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା । ହତ୍ୟାକାଣ୍ଡ ପଛରେ ପାରିବାରିକ ବିବାଦ ବୋଲି କୁହାଯାଉଛି । ଏହି ଘଟଣାରେ ଡେଲାଙ୍ଗ ପୋଲିସ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।