କେନ୍ଦ୍ରାପଡ଼ା, ୩୧/୧୨/୨୦୨୪ (ଓଡ଼ିଶା ସମାଚାର)- ଲଘୁଚାପ ଜନିତ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଧାନ ଓ ପରିବା ଚାଷୀଙ୍କୁ ଭେଟି ସେମାନଙ୍କ ଦୁଃଖ ବୁଝିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ଓ ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଂଚାୟତରେ କ୍ଷତିଗ୍ରସ୍ତ ଶସ୍ୟ କ୍ଷେତ୍ର ବୁଲି ଦେଖିଥିଲେ । ସାଂସଦ ଶ୍ରୀ ପଣ୍ଡା ଜଜାଙ୍ଗର ଜେନା ପୋଖରୀ ପଡିଆରେ ହେଲିକପ୍ଟରରୁ ଓହ୍ଲାଇଥିଲେ । ଏହାପରେ ସ୍ଥାନୀୟ ଅଂଚଳ ବୁଲିଥିଲେ । ଏହି ସମୟରେ ଶତାଧିକ ଚାଷୀ ତାଙ୍କ ନିକଟକୁ ଯାଇ ଧାନ ଓ ପରିବା ଚାଷ କ୍ଷତିଗ୍ରସ୍ତ ହେବା ଯୋଗୁଁ ସେମାନେ କିପରି ମାନସିକ ଚାପରେ ରହିଛନ୍ତି ତାହା ଜଣାଇଥିଲେ । ରାଜ୍ୟରେ ବିଜେପି ସରକାର ଥିବାରୁ କିପରି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବ ସେ ନେଇ ପଦକ୍ଷେପ ନେବାକୁ ସାଂସଦଙ୍କୁ ଗୁହାରି କରିଥିଲେ । ଚାଷୀମାନଙ୍କ ସମସ୍ୟା ଶୁଣିବା ପରେ ରାଜ୍ୟ ସରକାରଙ୍କୁ ଏ ନେଇ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ସାଂସଦ ବାରିମୂଳ ପଂଚାୟତରେ ପହଂଚି ଚାଷୀମାନଙ୍କୁ ଭେଟିବା ସହ ଶସ୍ୟ କ୍ଷେତ୍ର ବୁଲିଥିଲେ । ବହୁ ଚାଷୀମାନଙ୍କର ଧାନ କ୍ଷେତରେ ଧାନ ଗଜା ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଏହି ଚାଷୀମାନଙ୍କ କ୍ଷୟକ୍ଷତି ପ୍ରକୃତ ଆକଳନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । କ୍ଷୟକ୍ଷତି ସଂପର୍କିତ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କ ପାଖରେ ଯଥାଶୀଘ୍ର ଉପସ୍ଥାପନା କରିବାକୁ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଓ ଜିଲା କୃଷି ଅଧିକାରୀ କଲ୍ୟାଣ ରାଏଙ୍କୁ ସାଂସଦ ନିର୍ଦ୍ଧେଶ ଦେଇଥିଲେ । ଡେରାବିଶରୁ ଫେରିବା ପରେ ସାଂସଦ ଗରାପୁରରେ ଥିବା ସ୍ୱୟଂସିଦ୍ଧା ହୋଟେଲରେ ବିଜେପି କର୍ମକର୍ତା ଓ କର୍ମୀଙ୍କୁ ଭେଟି ସାଂଗଠନିକ ଆଲୋଚନା କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଜିଲା ସଭାପତି କିଶୋର ପଣ୍ଡା, ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ଯୁବନେତା ସଲିମ୍ ଖାନ୍, ଗୀତାଞ୍ଜଳି ସେଠୀ, କୃଷ୍ଣ ଚନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡ଼ା, ଅଭିମନୁ୍ୟ ଗୋଛାୟତ, ଉପୀନ ରାଉତଙ୍କ ସମେତ ବହୁ କର୍ମକର୍ତା ଯୋଗ ଦେଇଥିଲେ । ସାଂସଦଙ୍କ ଗସ୍ତରେ ଜିଲାର ବିଜେପି ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର ବହୁ ସଦସ୍ୟ ସାମିଲ ହୋଇଥିଲେ ।