କେନ୍ଦ୍ରାପଡ଼ା, ୩୧/୧୨/୨୦୨୪ (ଓଡ଼ିଶା ସମାଚାର)- ଲଗାଣବର୍ଷାରେ କେନ୍ଦ୍ରାପଡା ଜିଲାର ବିଭିନ୍ନ ବ୍ଲକ ଅଂଚଳରେ ହୋଇଥିବା ଫସଲହାନୀ ଜନିତ କ୍ଷୟକ୍ଷତିର ତଦନ୍ତ ରିପୋର୍ଟ ବୁଧବାର ସନ୍ଧ୍ୟା ସୁଦ୍ଧା ପ୍ରଦାନ କରିବାକୁ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏସମ୍ପର୍କିତ ସମୀକ୍ଷା ବୈଠକରେ ଜିଲାପାଳ ଶ୍ରୀ ପ୍ରଧାନ ଏଭଳି ନିର୍ଦେଶ ଦେଇଥିଲେ । ବୈଠକରେ ଉପସ୍ଥିତ ଜିଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ବିଭିନ୍ନ ଶାଖାର ଶାଖା ପରିଚାଳକ, ବିଭିନ୍ନ ବୀମା କମ୍ପାନୀର ପ୍ରତିନିଧିମାନଙ୍କ ସହ ଫସଲ କ୍ଷୟକ୍ଷତି ସମ୍ପର୍କରେ ଜିଲାପାଳ ଆଲୋଚନା କରିବା ସହ ଅବିଳମ୍ବେ ଏସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ସମବାୟ ସମିତି ସମୁହର ଉପନିବନ୍ଧକ ସନ୍ତୋଷ କୁମାର ଦାସ ଓ ଜିଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାଏଙ୍କ ସମେତ ବିବିନ୍ନ ବ୍ଲକର କୃଷି ଅଧିକାରୀମାନେ ଉପସ୍ଥିତ ଥିଲେ ।