ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଆୟୋଜିତ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର, ୧୯/୧୨/୨୦୨୩ (ଓଡ଼ିଶା ସମାଚାର)-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକରେ ଓଡ଼ିଆ ଭାଷାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ପାଇଁ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

୨୦୨୪ ଫେବୃଆରୀ ମାସରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପାଇଁ ରାଜ୍ୟ ଐତିହ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ରାଜ୍ୟ ରାଜଧାନୀ ଭୁବନେଶ୍ବରଠାରେ ପ୍ରଥମ ‘ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ଆୟୋଜନ କରାଯିବ। ୨୦୨୪ ମସିହା ଫେବୃଆରୀ ମାସରେ ତିନି ଦିନ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ ହେବାକୁ ଥିବା ସମ୍ମିଳନୀ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଭାଷା ବିଜ୍ଞାନୀ ଓ ଭାଷା ବିଶେଷଜ୍ଞ ମାନଙ୍କୁ ସମ୍ମିଳନୀର ବିଷୟଭିଭିକ ଅଧିବେଶନରେ ବକ୍ତବ୍ୟ ରଖିବା ପାଇଁ ନିମନ୍ତ୍ରଣ କରାଯିବ। ସମଗ୍ର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ। ଯୁବପିଢିଙ୍କ ମଧ୍ୟରେ ଓଡ଼ିଆ ଭାଷାର ଆଦୃତ ନିମନ୍ତେ ସେମାନଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ।

‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ସମୟରେ ଶିକ୍ଷାନୁଷ୍ଠାନ/ବିଶ୍ବବିଦ୍ୟାଳୟମାନେ ନିଜ ନିଜର କାର୍ଯ୍ୟକ୍ରମ ଆୟୋଜନ କରିବେ। ଏହି ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ ଦ୍ବାରା ରାଜ୍ୟ, ରାଜ୍ୟ ବାହାରେ ଓ ବିଦେଶରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣା କାର୍ଯ୍ୟ ତ୍ବରାନ୍ବିତ ହେବ । ଏତଦ୍ ବ୍ୟତୀତ ମାତୃଭାଷାକୁ ସମ୍ମାନ ଦେବା ଓ ଏହାର ଉନ୍ନତି ସାଧନ କରିବା ତଥା ଆଗାମୀ ପିଢିଙ୍କ ପାଇଁ ଓଡ଼ିଆ ଭାଷାର ଅସ୍ମିତାକୁ ବଜାୟ ରଖିବା କାର୍ଯ୍ୟ ସମ୍ପାଦନରେ ଉକ୍ତ ସମ୍ମିଳନୀର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିବ ରାଜ୍ୟ କ୍ୟାବିନେଟରେ ପ୍ରକାଶ ପାଇଛି।

ଅନୁଷ୍ଠିତ  ଐତିହ୍ୟ କ୍ୟାବିନେଟ ବୈଠକର  ଏହି ନିଷ୍ପତ୍ତି ପରେ ପରେ ରାଜ୍ୟ  ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ  ଅଶ୍ୱିନୀ କୁମାର ପାତ୍ର,  ମୁଖ୍ୟ ଶାସନ ସଚିବ  ପ୍ରଦୀପ କୁମାର ଜେନା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର୍.କାର୍ତ୍ତିକେୟନ ଏ ସଂପର୍କରେ ଗଣମାଧ୍ୟମକୁ ବିଶଦ୍ ସୂଚନା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *