ପରିବା କ୍ଷେତରେ ପାଣି ଦେଉଥିବା ବେଳେ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା,୦୮/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ପୁଣି କୁମ୍ଭୀର ଆତଙ୍କ ଦେଖାଦେଇଛି। ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଦକ୍ଷିଣଭେଡା ଗ୍ରାମର  ନିମାଇଁ ମଳିକ (୩୨) ଙ୍କୁ ନଦୀରୁ କୁମ୍ଭୀର ଟାଣି ନେଇଛି। ବ୍ରାହ୍ମଣୀ ନଦୀକୁ ସଂଯୋଗ କରିଥିବା ନାଳ (ଗଳିଆନାଳ) ରୁ ପାଖରେ ଥିବା ବାରିରେ ପରିବାଚାଷ ପାଇଁ ପାଣି ଦେଉଥିବା ବେଳେ ବଡ଼ଭାଇ ନିର୍ମଳ ମଳିକଙ୍କ ଆଗରେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଦୁଇ ଭାଇ ନିର୍ମଳ ଓ ନିମାଇଁ ବ୍ରାହ୍ମଣୀ ନଦୀ ପାଖରେ ଥିବା ଥିବା ନାଳରୁ ଗରାରେ ପାଣି ନେଇ ପରିବା କ୍ଷେତରେ ଦେଉଥିଲେ। ଏହି ସମୟରେ ଏକ କୁମ୍ଭୀର ହଠାତ୍ ସାନଭାଇ ନିମାଇଁ ମଳିକକୁ ଟାଣିନେଇଥିଲା। ସେ ନିମାଇଁକୁ କୁମ୍ଭୀର କବଳରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ  ବିଫଳ ହୋଇଥିଲେ।

ଏହାପରେ ନିର୍ମଳ ଘଟଣା ବିଷୟରେ ପରିବାର ଲୋକ ଓ ଗ୍ରାମବାସୀଙ୍କୁ କହିଥିଲେ। ଗ୍ରାମବାସୀ, ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିମାଇଁକୁ ନଦୀ ଓ ନାଳରେ ଖୋଜା ଖୋଜି ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

Leave a Reply

Your email address will not be published. Required fields are marked *