ଲାଲ ବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ବନ୍ଧୁମିଳନ ଉତ୍ସବ

କେନ୍ଦ୍ରାପଡ଼ା,୨୭/୧୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ୧୯୮୨ମାଟ୍ରିକ ବ୍ୟାଚ ଶିକ୍ଷାର୍ଥୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ତରାପୁର ଶାରଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମା’ ଶାରଳାଙ୍କ ମାର୍ଜନା ଓ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରକୁ ସଫେଇ ଓ ପରିମଳ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡଦିନ ଉପଲକ୍ଷେ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଶିକ୍ଷକ ଅକ୍ଷୟ କୁମାର ଦାଶ ଓ ୪୦ ଜଣ ଶିକ୍ଷାର୍ଥୀ ଯୋଗଦେଇ ଏକ ଆଲୋଚନା ଚକ୍ର ଓ ସାମୁହିକ ଭୋଜି କରିଥିଲେ । ବକ୍ତାମାନେ ପିଲାମାନଙ୍କ ମଧ୍ୟରେ ସଦଭାବନା ଓ ଏକତାର ବାର୍ତା ଦେଇ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ବନ୍ଧୁ ବାବାଜୀ ଚରଣ ମହାନ୍ତି ଗାୟତ୍ରୀ ମନ୍ତ୍ର ପାଠ କରି ବାଖ୍ୟା କରିବା ସହ ଗୋଲକ ସେଠୀ ଓ ନୃସିଂହ ରାଉତ ସଙ୍ଗୀତ ପରିବେଷଣ କରିଥିଲେ । ବନ୍ଧୁ ସୁଧାଂଶୁ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତନୁଜ କିଶୋର ରାଉତ, ରାଜଶ୍ରୀ ଜେନା, ନିର୍ମଳ ସ୍ୱାଇଁ, ପୁଷ୍ପଲତା ବିଶ୍ୱାଳ, ମଧୁସୂଦନ ଦଳାଇ ପ୍ରମୁଖ ଉଦବୋଧନ ଦେଇ ତାଙ୍କ ବିଦ୍ୟାଳୟକାଳୀନ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଦିବଂଗତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ସଦସ୍ୟମାନେ ଉପସ୍ଥିତ ଗୁରୁଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧର୍ିତ କରିଥିଲେ । ପ୍ରତିବର୍ଷ ଏହି ବନ୍ଧୁମିଳନ ପରମ୍ପରାକୁ ବଜାୟ ରଖି ସମସ୍ତ ବନ୍ଧୁମାନଙ୍କୁ ଏଭଳିି କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ କରିବାକୁ ପରାମର୍ଶ ଦିଆଯାଇଥିଲା । ସମସ୍ତେ ମା’ ଶାରଳାଙ୍କର ପ୍ରସାଦ ସେବନ କରିଥିଲେ । ପ୍ରଭୁ ଜଗନ୍ନାଥଙ୍କର ମହାପ୍ରସାଦ ସମସ୍ତଙ୍କୁ ପ୍ରଦାନ କରାଯିବା ସହ କେନ୍ଦୁଝରରୁ ଆସିଥିବା ଫଳ ସମସ୍ତଙ୍କୁ ବିତରଣ କରାଯାଇଥିଲା । ଶେଷରେ ସୁଧାଂଶୁ କୁମାର ଦାସ ସମସ୍ତ ସଦସ୍ୟମାନଙ୍କର ସଦୟ ଉପସ୍ଥିତି ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *