ରାଜଭବନରେ ୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସ୍ଥାପନା ଦିବସ ପାଳିତ ।

                                                   ବିବିଧତାରେ ଏକତା ଭାରତର ବିଶେଷତ୍ୱ – ରାଜ୍ୟପାଳ
ଭୁବନେଶ୍ୱର, ୨୪/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜଭବନଠାରେ ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସ୍ଥାପନା ଦିବସ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କ ଉପସ୍ଥିତିରେ ଏକ ଉତ୍ସବ ମୁଖରିତ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ରାଜ୍ୟଗୁଡ଼ିକ ହେଲେ ଆସାମ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଂଚଳ ଦାଦ୍ରା ନଗରହାବେଳୀ ଓ ଡ଼ାମନ୍ ଏବଂ ଡିଉ । ଏହି ଉପଲକ୍ଷେ ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଓଡ଼ିଶାରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ତଥା ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅନ୍ୟ ରାଜ୍ୟର ବ୍ୟକ୍ତି ବିଶେଷଙ୍କର ସକ୍ରିୟ ଅଂଶ ଗ୍ରହଣ ମଧ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ବିବିଧତାରେ ଏକତା ଭାରତର ବିଶେଷତ୍ୱ ବୋଲି କହିବା ସହିତ ବିବିଧତା ଆମ ଗୌରବ ବୋଲି କହିଥିଲେ । ଏକ ଭାରତ ଶ୍ରେଷ୍ଠ ଭାରତ । ବିବିଧତାରେ ଏକତା ଏକ ସ୍ଲୋଗାନ୍ ରେ ସୀମିତ ନୁହେଁ ବରଂ ଏହା ଅପାର ଶକ୍ତିର ଭଣ୍ଡାର ବୋଲି ସେ ପ୍ରକାଶ କରିଥିଲେ । ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶାନୁସାରେ ରାଜଭବନରେ ପାଳିତ ରାଜ୍ୟ ସ୍ଥାପନା ଦିବସ ପାଳନ ପରସ୍ପର ମଧ୍ୟରେ ଖୁସି ଏବଂ ଆନନ୍ଦ ବାଂଟିବାର ପର୍ବ ଯାହା ଆମ ରାଷ୍ଟ୍ରୀୟ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରାଉଛି ବୋଲି ରାଜ୍ୟପାଳ କହିଥିଲେ । ଓଡ଼ିଶାରେ ଶିକ୍ଷା ଲାଭ କରୁଥିବା ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜ୍ଞାନର ସଂପର୍କ ସେତୁ ସ୍ଥାପନ ଓ କର୍ମକ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ରାଜ୍ୟର ବିକାଶ ଓ ପ୍ରଗତିରେ ଅଂଶ ଗ୍ରହଣ ଓ ଅବଦାନକୁ ପ୍ରଶଂସା କରିବା ସହିତ ସାମାଜିକ ଓ ସାଂସ୍କୃତିକ ପରିଚୟକୁ ସମୃଦ୍ଧ କରାଉଛି ବୋଲି ରାଜ୍ୟପାଳ କହିଥିଲେ । ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ ଆତିଥେୟତା ଏକତାର ଭାବନାକୁ ମଜବୁତ କରିବାକୁ ପ୍ରତିବଦ୍ଧ ବୋଲି ରାଜ୍ୟପାଳ କହିଥିଲେ ।
ସ୍ଥାପନା ଦିବସ ପାଳିତ ହେଉଥିବା ରାଜ୍ୟମାନଙ୍କର ତଥା କେନ୍ଦ୍ରଶାସିତ ଅଂଚଳର ଓଡ଼ିଶାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ବିବିଧତାରେ ଏକତା ଉପରେ ଆଧାରିତ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏତଦ୍ବ୍ୟତୀତ ଆସାମ ରାଜ୍ୟର ବିହୁ ନୃତ୍ୟ ଦଳ ଏବଂ ଓଡ଼ିଶାର ସମ୍ବଲପୁର ଜିଲାର ଲୋକ ନୃତ୍ୟ ଦଳ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବିଭିନ୍ନ ରାଜ୍ୟର ବ୍ୟକ୍ତିବିଶେଷ ନିଜ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳର ସଂସ୍କୃତି, କଳା, ଐତିହ୍ୟ ଏବଂ ମହାନତା ସଂପର୍କରେ ଅବତାରଣା କରିବା ସହିତ ଓଡ଼ିଶା ସହିତ ସେହି ରାଜ୍ୟମାନଙ୍କର ଅତୁଟ ସଂପର୍କ ଏବଂ ଓଡ଼ିଶା ରାଜ୍ୟର ବିଶେଷତ୍ୱ ସଂପର୍କରେ ନିଜର ଅଭିଜ୍ଞତା ଓ ଉପଳବ୍ଧି ସଂପର୍କରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଫାଷ୍ଟ ଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭମ୍ ପାଟି ଉପସ୍ଥିତ ଥିଲେ । ଏହି ସମାରୋହରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ୍ ରାଜପୁତ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *