ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ।

ଯୁବକଙ୍କ ହାତରେ ଦେଶର ଭବିଷ୍ୟତ।

ଯାଜପୁର,୨୬/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ସ୍ଥାନୀୟ ଏନ୍.ସି ମହାବିଦ୍ୟାଳୟ ଯାଜପୁର ଅଡିଟୋରିଅମରେ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧୀନ ମେରା ଯୁବ ଭାରତ ଓ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଶ୍ରୀ ଜେନା କହିଲେ ଯୁବକ ଯୁବତୀମାନେ ହେଲେ ଆଗାମୀ କାଲିର ଭବିଷ୍ୟତ। ଭାରତ ବର୍ଷକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତା ରେ ଜିଲ୍ଲାସ୍ତରରୁ ଉନ୍ନତି ହୋଇ ରାଜ୍ୟ ଓ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିବାକୁ ସେ ପରାମର୍ଶ ଦେଇଥିଲେ। ଏନ୍.ସି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ା. ଆର୍.କେ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ ଯୁବପିଢୀଙ୍କ ହାତରେ ଦେଶର ଭବିଷ୍ୟତ ରହିଛି। ଦେଶକୁ ଉଚ୍ଚ ଶିଖରକୁ ନେବା ପାଇଁ ନିଜର ଆତ୍ମବିଶ୍ବାସକୁ ଦୃଢ କରିବା ସହ ବଡ଼ ସ୍ବପ୍ନ ଦେଖିବା ଓ ତାକୁ ପୂରଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଡି.ପି.ଓ, ଏନ୍.ଏସ.ଏସ, ଏନ୍. ସି କଲେଜ, ରଞ୍ଜନ କୁମାର ସୁତାର, କ୍ରୀଡା ଶିକ୍ଷକ ଉପସ୍ଥିତ ରହି ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରିଥିଲେ। ନେହେରୁ ଯୁବକେନ୍ଦ୍ର, ଯାଜପୁର, ଜିଲ୍ଲା ୟୁଥ୍ ଅଫିସର, ଶ୍ରୀ ବାସୁଦେବ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଯୁବ ଉତ୍ସବରେ ଯାଜପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର  ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ବକ୍ତୃତା ପ୍ରତିଯୋଗିତା, ଫଟୋଗ୍ରାଫି, ପଦ୍ୟ ଅବୃତି, ଚିତ୍ରାଙ୍କନ, ବିଜ୍ଞାନମେଳା (ବ୍ୟକ୍ତିଗତ), ବିଜ୍ଞାନମେଳା (ଦଳଗତ) ରେ  ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉଦଯାପନୀ ଉତ୍ସବରେ ଅତିଥିମାନେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ଏ.ପି.ଏସ, ଏସ. ମହାପାତ୍ର, ଏନ୍.ସି କଲେଜ ପି.ଇ.ଟି ରଞ୍ଜନ କୁମାର ସୁତାର, ରଣା ବେହେରା ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *